ଅଚ୍ୟୁତପୁର କାଜରେ ନଈମାଛ ହାଟ, ୫ କିଲିଆ ମାଛକୁ ୧୫ ଶହ ଟଙ୍କା

ବାଲିଅନ୍ତା : ସପ୍ତାହକ ପୂର୍ବରୁ ଭୟଙ୍କର ରୂପ ନେଇଥିବା ଅଚ୍ୟୁତପୁର କାଜ ଏବେ ମାଛ ହାଟ ପାଇଁ ଆକର୍ଷଣୀୟ ସ୍ଥାନ ପାଲଟିଛି। ସେଠାରେ ସକାଳୁ ସଂଜ ପର୍ଯ୍ୟନ୍ତ ବସୁଥିବା ନଈମାଛ ହାଟ ପାଇଁ ରାଜଧାନୀବାସୀଙ୍କ ଭିଡ଼ ଲାଗିଛି। ପାଞ୍ଚ କିଲିଆ ମାଛକୁ ଲୋକେ ୧୫ ଶହ ଟଙ୍କା ଦେଇ କିଣି ନେଉଛନ୍ତି। ଏମିତିକି ଚୁନା ମାଛ କିଣିବା ପାଇଁ ମଧ୍ୟ ସେଠାରେ ପ୍ରତିଯୋଗିତା ଲାଗୁଛି। ଚୁନା ମାଛ ଦର ମଧ୍ୟ କିଛି କମ୍ ନାହିଁ। ଚୁନା ମାଛ […]

ଅଚ୍ୟୁତପୁର କାଜରେ ନଈମାଛ ହାଟ, ୫ କିଲିଆ ମାଛକୁ ୧୫ ଶହ ଟଙ୍କା
ବାଲିଅନ୍ତା : ସପ୍ତାହକ ପୂର୍ବରୁ ଭୟଙ୍କର ରୂପ ନେଇଥିବା ଅଚ୍ୟୁତପୁର କାଜ ଏବେ ମାଛ ହାଟ ପାଇଁ ଆକର୍ଷଣୀୟ ସ୍ଥାନ ପାଲଟିଛି। ସେଠାରେ ସକାଳୁ ସଂଜ ପର୍ଯ୍ୟନ୍ତ ବସୁଥିବା ନଈମାଛ ହାଟ ପାଇଁ ରାଜଧାନୀବାସୀଙ୍କ ଭିଡ଼ ଲାଗିଛି। ପାଞ୍ଚ କିଲିଆ ମାଛକୁ ଲୋକେ ୧୫ ଶହ ଟଙ୍କା ଦେଇ କିଣି ନେଉଛନ୍ତି। ଏମିତିକି ଚୁନା ମାଛ କିଣିବା ପାଇଁ ମଧ୍ୟ ସେଠାରେ ପ୍ରତିଯୋଗିତା ଲାଗୁଛି। ଚୁନା ମାଛ ଦର ମଧ୍ୟ କିଛି କମ୍ ନାହିଁ। ଚୁନା ମାଛ କିଲୋ ୨୦୦ ଟଙ୍କାକୁ ଟପି ଯାଉଛି। ସେହିଭଳି ମାଛ ଧରୁଥିବା ଲୋକଙ୍କ ସଂଖ୍ୟା ଯେତିକି ଗ୍ରାହକଙ୍କ ସଂଖ୍ୟା ତା’ଠାରୁ ବେଶ୍ ଅଧିକ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଗ୍ରାହକଙ୍କଠାରୁ ରାଜଧାନିଆ ଗ୍ରାହକଙ୍କ ସଂଖ୍ୟା ବେଶି। ତେଣୁ ମାଛଦର ସ୍ବତଃ ଆକାଶଛୁଆଁ ହୋଇଯାଉଛି। ଫଳରେ ପ୍ରତିଯୋଗିତାରେ ପଛେଇ ଯାଉଛନ୍ତି ସ୍ଥାନୀୟ ଗ୍ରାହକ। ତେବେ ଆଗକୁ ମାଛଧରା ଆହୁରି କିଛି ଦିନ ପାଇଁ ଜାରି ରହିବାକୁ ଥିବାରୁ ସ୍ଥାନୀୟ ଲୋକେ ଜାଣିଶୁଣି ପଛେଇ ଯାଉଥିବା ଦେଖିବାକୁ ମିଳୁଛି। ତେବେ କିଛି ସ୍ଥାନୀୟ ଲୋକେ ମଧ୍ୟ ଏଥିପାଇଁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ବନ୍ୟାପାଣି କମିବା ପରେ ମାଛ ଧରିବା ଏକ ସାଧାରଣ ପ୍ରକ୍ରିୟା। ତେଣୁ ଏବେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ମାଛ ଧରିବା ପାଇଁ ଅଚ୍ୟୁତପୁର କାଜରେ ଶତାଧିକ ମତ୍ସଜୀବୀଙ୍କ ଭିଡ଼ ଲାଗୁଛି। ଦୁଇ ଦିନ ହେଲା ଅଚ୍ୟୁତପୁର କାଜରୁ ଲକ୍ଷ ଲକ୍ଷ ଟଙ୍କାର ମାଛ ଧରା ଯାଇଥିବା ସୂଚନା ମିଳିଛି। ମତ୍ସଜୀବୀମାନେ ବଡ଼ଜାଲ, ପୋଳୁହ ଓ ଖେପା ଜାଲ ଦ୍ବାରା ପ୍ରଚୁର ମାଛ ଧରୁଛନ୍ତି। ଏବେ ଧରା ହେଉଥିବା ମାଛ ମଧ୍ୟରେ ରହିଛି ପୋହଳା, କଳାବଇଁଶି, ରୋହି, ଭାକୁଡ଼ ଓ ମିରକାଳି ଆଦି ପ୍ରଜାତିର ମାଛ। ସବୁ ମାଛ ପାଇଁ ଚାହିଦା ରହିଛି। ନଈର ମଧୁର ମାଛ ପାଇଁ ଲୋକେ ଠେଲାପେଲା ହେଉଛନ୍ତି। ଆଜି ଅଚ୍ୟୁତପୁର ଗ୍ରାମର ଜଣେ ମତ୍ସଜୀବୀ ତାଙ୍କ ଖେପା ଜାଲରେ ୫ କିଲିଆ ଏକ ଭାକୁଡ଼ ମାଛ ଧରିଥିଲେ। ପ୍ରଥମେ ସେ ତାଙ୍କ ଜାଲରେ କୁମ୍ଭୀର ପଡ଼ିଥିବା ଭାବି ଭୟରେ ସେ ଜାଲ ଟାଣିବାକୁ ସାହସ କରିନଥିଲେ। ପରେ ସାହାସ ଜୁଟାଇ ଜାଲ ଉପରକୁ ଟାଣିଥିଲେ ଓ ବଡ଼ ଭାକୁଡ଼ ଦେଖି ଖୁସି ହୋଇ ଯାଇଥିଲେ। ଏହାର ଓଜନ ୫କିଲୋ ହୋଇଥିଲା। ଏହାକୁ ନେବା ପାଇଁ ସେଠାରେ ଏକପ୍ରକାର ପ୍ରତିଯୋଗିତା ସୃଷ୍ଟି ହୋଇଥିଲା ଓ ନିଲାମ ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ଜଣେ ରାଜଧାନୀବାସୀ ମାଛଟିକୁ ୧୫ ଶହ ଟଙ୍କାରେ କିଣି ନେଇଥିଲେ। ଅଚ୍ୟୁତପୁର କାଜ ବାଦ୍ ଲୋକେ ଧନୁଆ ନଈରୁ ମାଛ ଧରୁଛନ୍ତି। ପୁରୁଣା ଝିଣ୍ଟି ଅଞ୍ଚଳର ଖୋକନ ରାଉତରାୟଙ୍କ ସୂଚନାନୁସାରେ ଜଣେ ଜଣେ ମତ୍ସଜୀବୀ ଦିନକୁ ୧୦ରୁ ୨୦ କିଲୋ ମାଛ ଧରୁଛନ୍ତି। ଲୋକଙ୍କ ଚାହିଦାକୁ ଦେଖି ମତ୍ସଜୀବୀମାନେ ବିଭିନ୍ନ ମାଛକୁ କିଲୋ ପିଛା ୨୫୦ରୁ ୩୦୦ ଟଙ୍କାରେ ବିକ୍ରି କରୁଛନ୍ତି। ପୋହଳା ମାଛ କିଲୋ ୩ଶହ ଟଙ୍କା ପଡ଼ୁଛି। ସେହିଭଳି ଅଧିକ ଚାହିଦା ଥିବା ନଈ ଚିଙ୍ଗୁଡ଼ି କମ୍ ଧରା ହେଉଥିବାରୁ ମଧ୍ୟ କିଲୋ ପିଛା ୫/୬ ଶହ ଟଙ୍କା ପଡ଼ୁଛି।