ରାସ୍ତା ମଝିରେ ଠିଆ ହେଲା ପାଚେରି : ୪୦ ପରିବାର ଗୃହବନ୍ଦୀ

ଭୁବନେଶ୍ବର : ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୪ବର୍ଷ ହେଲା ସରକାରୀ ରାସ୍ତା ଭାବି କଲୋନିବାସୀ ସ୍ବାଭାବିକ ଭାବେ ଯାତାୟାତ କରୁଥିଲେ। ମାତ୍ର ହଠାତ୍ ଚିତ୍ର ବଦଳିଗଲା। ରାସ୍ତା ଉପରେ ରାତିଅଧିଆ ଛିଡ଼ା ହେଲା ପାଚେରି। ରାସ୍ତାଟି ଘରୋଇ ଜମି ଦାବି କରି ମାଲିକ ପାଚେରି ଠିଆ କରାଇଦେଲେ। ଫଳରେ ରାସ୍ତା ବନ୍ଦ ହୋଇଗଲା ଓ ସ୍ବାଭାବିକ ଭାବେ କଲୋନିର ୪୦ ପରିବାର ଗୃହବନ୍ଦୀ ହୋଇଗଲେ। ଗାଡ଼ିମଟର ଚଳାଚଳ ବନ୍ଦ ହୋଇଗଲା। ତେଣୁ ବରିଷ୍ଠ ନାଗରିକଙ୍କଠାରୁ […] The post ରାସ୍ତା ମଝିରେ ଠିଆ ହେଲା ପାଚେରି : ୪୦ ପରିବାର ଗୃହବନ୍ଦୀ first appeared on Sambad.

ରାସ୍ତା ମଝିରେ ଠିଆ ହେଲା ପାଚେରି : ୪୦ ପରିବାର ଗୃହବନ୍ଦୀ
ଭୁବନେଶ୍ବର : ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୪ବର୍ଷ ହେଲା ସରକାରୀ ରାସ୍ତା ଭାବି କଲୋନିବାସୀ ସ୍ବାଭାବିକ ଭାବେ ଯାତାୟାତ କରୁଥିଲେ। ମାତ୍ର ହଠାତ୍ ଚିତ୍ର ବଦଳିଗଲା। ରାସ୍ତା ଉପରେ ରାତିଅଧିଆ ଛିଡ଼ା ହେଲା ପାଚେରି। ରାସ୍ତାଟି ଘରୋଇ ଜମି ଦାବି କରି ମାଲିକ ପାଚେରି ଠିଆ କରାଇଦେଲେ। ଫଳରେ ରାସ୍ତା ବନ୍ଦ ହୋଇଗଲା ଓ ସ୍ବାଭାବିକ ଭାବେ କଲୋନିର ୪୦ ପରିବାର ଗୃହବନ୍ଦୀ ହୋଇଗଲେ। ଗାଡ଼ିମଟର ଚଳାଚଳ ବନ୍ଦ ହୋଇଗଲା। ତେଣୁ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ସବୁ ବର୍ଗର କର୍ମଜୀବୀମାନେ ବଡ଼ ସମସ୍ୟାରେ ପଡ଼ିଛନ୍ତି। ଏମିତିକି କୌଣସି ରୋଗୀଙ୍କୁ ହସ୍ପିଟାଲ ନେବାକୁ ହେଲେ, ତାଙ୍କୁ ଟେକିଟେକି ପାଚେରି ଡିଆଁଇବା ପରେ ଭଡ଼ା ଗାଡ଼ିରେ ବା ଆମ୍ବୁଲାନ୍‌ସରେ ନେବାକୁ ପଡ଼ୁଛି। ଏଭଳି ଦୁଃସ୍ଥିତିର ସମ୍ମୁଖୀନ ହେଉଛନ୍ତି ଲକ୍ଷ୍ମୀସାଗର ଥାନା ଝାରପଡ଼ା ମହାଦେବ ନଗର ଓମ୍‌କାର ସୋସାଇଟିର ବାସିନ୍ଦାମାନେ। ଏ ନେଇ କଲୋନିବାସୀ କମିସନରେଟ୍‌ ପୁଲିସର ଦ୍ବାରସ୍ଥ ହୋଇଥିଲେ ବି ଦେୱାନୀ ମାମଲା (ସିଭିଲି ମ୍ୟାଟର) ବାହାନାରେ ପୁଲିସ କାନ୍ଧ ଖସାଇ ଦେଇଛି। ତେଣୁ ଅନ୍ୟ ଉପା‌ୟ ନ ପା‌ଇ କଲୋନିବାସୀ ଏବେ ମାନବାଧିକାର କମିସନଙ୍କୁ ଗୁହାରି କରିଛନ୍ତି। ୬ ଦିନ ତଳେ ହଠାତ୍ ଏହି ରାସ୍ତାରେ ପାଚେରି ଠିଆ ହେଲା। ଜମି ଘରୋଇ ମାଲିକାନାରେ ଥିବାରୁ ସେ ରାସ୍ତା ଛାଡ଼ିବାକୁ ମନା କଲେ। କଲୋନିବାସୀ ଜମି କିଣିଥିବା ବିଲ୍‌ଡର୍‌ଙ୍କୁ ଜଣାଇଲେ, କିନ୍ତୁ ସେ ଶୁଣିଲେ ନାହିଁ। ତେଣୁ ବାଧ୍ୟ ହୋଇ ସେମାନେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କଲେ। ପୁଲିସ ତଦନ୍ତ କଲା ଓ ଉକ୍ତ ଜମି ୱାକ୍‌ ଅପ୍‌ ବୋର୍ଡର ବୋଲି ଜଣାପଡ଼ିବା ପରେ ପାଚେରି ହଟାଇବାକୁ ପଛଘୁଞ୍ଚା ଦେଲା। ଘରୋଇ ଜାଗା ଓ ସିଭିଲି ମ୍ୟାଟର୍‌ କହି ପୁଲିସ କଲୋନିବାସୀଙ୍କୁ କୋର୍ଟ ରାସ୍ତା ଦେଖାଇ ବସିଗଲା। ପୁଲିସଠାରୁ ନାସ୍ତିବାଣୀ ଶୁଣିବା ପରେ କଲୋନିବାସୀ ହତାଶ ହୋଇପଡ଼ିଲେ। ଏବେ ସେମାନେ ନିକଟସ୍ଥ ଲୋକଙ୍କ ଘରବାଡ଼ି ଦେଇ ବାହାରକୁ ବାହାରୁଛନ୍ତି। କିନ୍ତୁ ଗାଡ଼ିମଟର ବ୍ୟବହାର କରିବା ସମ୍ଭବ ହେଉନାହିଁ। କିଛି ଲୋକଙ୍କ ଗାଡ଼ି ବାହାରେ ରହିଛି ଯେ ଆଉ ଭିତରକୁ ଘର ପାଖକୁ ଆଣିବା ସମ୍ଭବ ହେଉନାହିଁ। ଏଠାରେ ରହୁଥିବା କିଛି ଡାକ୍ତର ଓ କର୍ମଜୀବୀ ମହିଳା ଏବେ ବଡ଼ ହନ୍ତସନ୍ତ ହେଉଛନ୍ତି। ସେହିଭଳି ବରିଷ୍ଠ ନାଗରିକମାନେ ଘରୁ ବାହାରିବା ସମ୍ଭବ ହେଉନାହିଁ। କ‌ଲୋନିବାସୀଙ୍କ ଅଭିଯୋଗ ଅନୁସାରେ, ସେମାନେ ବିଲ୍‌ଡରଠାରୁ ଘର କିଣିବା ବେଳଠାରୁ ୧୪ ବର୍ଷ ହେଲା ଏହାକୁ ସରକାରୀ ରାସ୍ତା ବୋଲି ଜାଣିଥିଲେ। କେହି ବି କେବେ ରାସ୍ତା ବାବଦରେ ଥିବା କୌଣସି ବିବାଦ କଥା ଉଠାଇ ନଥିଲେ। ସେହିଭଳି ସେମାନେ ବିଡିଏ ଓ ବିଏମ୍‌ସିର ସବୁ ପ୍ରକାର ଅନୁମତି ପାଇଛନ୍ତି। ମାତ୍ର ଏବେ ହଠାତ୍ ରାସ୍ତା ବନ୍ଦ କରି ଦିଆଯାଉଛି ଓ ପ୍ରଶାସନ କୌଣସି ପ୍ରକାର ସହଯୋଗ କରୁନାହିଁ। ପାଣି, ବିଦ୍ୟୁତ ଓ ରାସ୍ତା ବନ୍ଦ କରିବାକୁ ହେଲେ ବହୁ ଆଗରୁ ସୂଚନା ଦେବା କଥା। ହଠାତ୍‌ ଏଭଳି ବନ୍ଦ କରିବା ବେଆଇନ ବୋଲି ବରିଷ୍ଠ ଆଇନଜୀବୀମାନେ ମତ ଦେଇଛନ୍ତି। ନିକଟ ଅତୀତରେ ଜଣେ ବାସିନ୍ଦାଙ୍କୁ କସ୍‌ମୋପଲିସ୍‌ ଆପାର୍ଟମେଣ୍ଟରେ ପାଣି ଓ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଥିଲା। ମୌଳିକ ଆବଶ୍ୟକତାରୁ କାହାକୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ସେହି ମାମଲାରେ ରାଜ୍ୟ ମାନବାଧିକାର କମିସନ ଆଦେଶ ଦେଇଥିଲେ। ଏଣୁ ଏବେ ଓମ୍‌କାର କଲୋନିବାସୀ ମାନବାଧିକାର କମିସନଙ୍କ ନ୍ୟାୟକୁ ଅପେକ୍ଷା କରିଛନ୍ତି। କଲୋନି ସୋସାଇଟିର ସମ୍ପାଦକ ସତ୍ୟଭୂଷଣ ମିଶ୍ର କହିଛନ୍ତି ଯେ ୧୪ବର୍ଷ ଧରି ଏହି ରାସ୍ତା ବ୍ୟବହାର ହେଉଥିଲା। ଯଦି ଘରୋଇ ଜାଗା ଥିଲା, ତେବେ ଏଠାରେ ବାସଗୃହ ନିର୍ମାଣ ପ୍ରକଳ୍ପକୁ କିଭଳି ସ୍ବୀକୃତି ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ୧୪ବର୍ଷ ପରେ ରାସ୍ତା ବନ୍ଦ କରିବାକୁ କାହିଁକି ମନେ ପଡ଼ିଲା, ସେ ବୁଝି ପାରୁନାହାନ୍ତି। ଅଯଥାରେ ସେମାନଙ୍କୁ ଗୃହବନ୍ଦୀ କରି ହଇରାଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏବେ ରୋଗୀମାନଙ୍କୁ ହସ୍ପିଟାଲ ନେବା ଅସମ୍ଭବ ହୋଇପଡ଼ୁଛି। ତେଣୁ କେତେବେଳେ କୌଣସି ଅଘଟଣ ଘଟିଲେ, ପ୍ରଶାସନ ଦାୟୀ ରହିବ ବୋଲି ସେ କହିଛନ୍ତି।The post ରାସ୍ତା ମଝିରେ ଠିଆ ହେଲା ପାଚେରି : ୪୦ ପରିବାର ଗୃହବନ୍ଦୀ first appeared on Sambad.