ବଦଳୁ ନାହିଁ ଝୁମ୍ପୁଡ଼ି ଭାଡ଼ି, ପାଲଟଣା ଘରର ଚିତ୍ର

ନୟାଗଡ଼ ଅଫିସ,୧୩।୧: ନୟାଗଡ଼ ଜିଲା ରଣପୁର ସହରର ଦଳିତ ସାହିରେ ଜାଗାମିଶନ ଅପହଞ୍ଚ। ସ୍ବାଧୀନତାର ୭୩ ବର୍ଷ ପରେ ବି ରଣପୁର ଏନଏସିରେ ଥିବା ଝୁମ୍ପୁଡି ଭାଡି ଓ ପାଲଟଣା ଘରର ଚିତ୍ର ବଦଳି ପାରୁନାହିଁ। ସବୁ ବାସହୀନଙ୍କୁ ଜାଗା ମିଶନରେ ସାମିଲ କରାଯାଉ ନ ଥିବାରୁ ସରକାରୀ ସୁବିଧା ସୁଯୋଗ ପାଇବାରୁ ସେମାନେ ବଞ୍ଚିତ ହୋଇଛନ୍ତି । ୫୦ ପରିବାରରୁ ୧୫ ପରିବାର ପାଇଛନ୍ତି ପଟ୍ଟା । ସେମାନଙ୍କୁ ଜମି ଚିହ୍ନଟ କରି ଦିଆଯାଉ ନ ଥିବାରୁ […] The post ବଦଳୁ ନାହିଁ ଝୁମ୍ପୁଡ଼ି ଭାଡ଼ି, ପାଲଟଣା ଘରର ଚିତ୍ର appeared first on Dharitri Odia News.

ବଦଳୁ ନାହିଁ ଝୁମ୍ପୁଡ଼ି ଭାଡ଼ି, ପାଲଟଣା ଘରର ଚିତ୍ର
ନୟାଗଡ଼ ଅଫିସ,୧୩।୧: ନୟାଗଡ଼ ଜିଲା ରଣପୁର ସହରର ଦଳିତ ସାହିରେ ଜାଗାମିଶନ ଅପହଞ୍ଚ। ସ୍ବାଧୀନତାର ୭୩ ବର୍ଷ ପରେ ବି ରଣପୁର ଏନଏସିରେ ଥିବା ଝୁମ୍ପୁଡି ଭାଡି ଓ ପାଲଟଣା ଘରର ଚିତ୍ର ବଦଳି ପାରୁନାହିଁ। ସବୁ ବାସହୀନଙ୍କୁ ଜାଗା ମିଶନରେ ସାମିଲ କରାଯାଉ ନ ଥିବାରୁ ସରକାରୀ ସୁବିଧା ସୁଯୋଗ ପାଇବାରୁ ସେମାନେ ବଞ୍ଚିତ ହୋଇଛନ୍ତି । ୫୦ ପରିବାରରୁ ୧୫ ପରିବାର ପାଇଛନ୍ତି ପଟ୍ଟା । ସେମାନଙ୍କୁ ଜମି ଚିହ୍ନଟ କରି ଦିଆଯାଉ ନ ଥିବାରୁ ପଟ୍ଟା ପାଇବାର ସୁବିଧା ସେମାନେ ନେଇ ପାରୁ ନ ଥିବା ଅଭିଯୋଗ ହୋଇଛି। ଏପରି ପରିସ୍ଥିତିରେ ବାସହୀନଙ୍କ ଦୁଃଖ ବଢ଼ି ଚାଲିଛି। ସରକାରୀ ଯୋଜନା ପରେ ବି ଭାଗ୍ୟ ପରିବର୍ତ୍ତନ ହେଉନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ନେଇ ଶାନ୍ତି ଦେଇ କୁହନ୍ତି, ଆମେ ଗରିବ ଲୋକ । ବାଉଁଶରେ ତିଆରି ଉପକରଣ ଓ ଝାଡୁ ବିକି ଆମେ ପରିବାର ଚଳାଉ । ମୋ ସ୍ବାମୀ ବୁଢ଼ା ହୋଇ ଯିବାରୁ ଆଉ ରୋଜଗାର କରିପାରୁ ନାହାନ୍ତି । ଘରେ ଛୋଟ ପିଲାଟିଏ। ମୁଁ କାମ କରି ପରିବାର ଚଳାଇବା କାଠିକର ପାଠ ହୋଇଛି । ଥିଲାବାଲା ରାଶନ କାର୍ଡ ପାଉଛନ୍ତି, ଆମ ପାଇଁ ସେ ସୁବିଧା ନାହିଁ। ଭତ୍ତା ବି ମିଳୁନାହିଁ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବୟସ ହୋଇନାହିଁ କହି ସାର୍‌ ମାନେ ଫେରାଇ ଦେଉଛନ୍ତି । ହାତଗୁଞ୍ଜା ଦେଇ ପାରୁ ନ ଥିବାରୁ ଆମକୁ କିଛି ସୁବିଧା ମିଳୁନାହିଁ। ମୁଁ ତ ଖାଇବାକୁ ପାଉନି ହାତଗୁଞ୍ଜା ଦେବି କିପରି ? ବହୁ କଷ୍ଟରେ ପରିବାର ଚଳାଉଛି ବୋଲି ସେ କହିଛନ୍ତି। ରାଘବ ରାଉଳ କୁହନ୍ତି, ଆମ ଘର ରଣପୁର ଦଳିତ ସାହିରେ । ଜେଜେବାପା ଅମଳରୁ ସେଠାରେ ରହି ଆସୁଛି । ପଟ୍ଟା ପାଇ ନାହୁଁ । ପଟ୍ଟା ନ ଥିବାରୁ ମୋ ଝିଅ ଦଶମ ଶ୍ରେଣୀ ପାଠ ପଢ଼ିଲା ଷ୍ଟାଇପେଣ୍ଡ ପାଇ ପାରିଲାନାହିଁ। ମୁଣ୍ଡ ଗୁଞ୍ଜିବାକୁ ଭଲ ଘରିଟିଏ ନାହିଁ । ପାଲ ଟଣା ଘରେ ରହୁଛି। ୧୦ କେଜି ଚାଉଳ ପାଉଛି । ରାଶନ କାର୍ଡରେ ମୋ ୨ ଝିଅଙ୍କ ନାଁ ସାମିଲ ହୋଇପାରୁନି । ଚନ୍ଦ୍ରମା ରାଉଳ କୁହନ୍ତି, ପଟ୍ଟା ପାଉତି ନ ଥିବାରୁ ମୋ ପରି ଗାଁର ବହୁ ପରିବାର ଅଭିଶପ୍ତ ଜୀବନ ଯାପନ କରୁଛନ୍ତି । ମୋ ସ୍ବାମୀଙ୍କ ପରଲୋକକୁ ଦେଢ଼ ବର୍ଷ ହେଲାଣି, ତଥାପି ବିଧବା ଭତ୍ତା ପାଇ ପାରୁନି । ବାରମ୍ବାର ଅଭିଯୋଗ କରି ଥକି ପଡିଲିଣି । ଘର ଟିଏ ମଧ୍ୟ କରି ପାରୁନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆମ ପାଇଁ ସ୍ବପ୍ନ । ଦୁଃଖ କଷ୍ଟରେ ଜୀବନ କାଟୁଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ରଣପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ତାପସ ବିଶୋଇ କୁହନ୍ତି, ରାଶନ କାର୍ଡ ପାଇ ନ ଥିବା ହିତାଧିକାରୀଙ୍କୁ କାର୍ଡ ଯୋଗାଇବାକୁ ପ୍ରୟାସ ଜାରି ରହିଛି । ଭୂମିହୀନ ଲୋକଙ୍କୁ ଜାଗା ମିଶନରେ ଜମି ଯୋଗାଇ ଦିଆଯାଉଛି । ୬୪୫ ବର୍ଗଫୁଟ ଦଖଲରେ ଥିବା ପରିବାର ପଟ୍ଟା ପାଉଛନ୍ତି । ସରକାରୀ ନୀତିନିୟମ ପୂରଣ କରିଥିବା ଭୂମିହୀନଙ୍କୁ ପଟ୍ଟା ଦିଆଯାଇଛି। ଯେଉର୍ଁମାନେ ସେଥିରୁ ବଞ୍ଚତ୍ତ ହେଇଛନ୍ତି ସେମାନଙ୍କୁ ପଟ୍ଟା ଦେବା ପାଇଁ ପ୍ରସ୍ତୁତି ଚାଲିଛି । ଭତ୍ତା ପାଇଁ ଲାଞ୍ଚ ଦେବାକୁ ପଡୁଥିବା ଅଭିଯୋଗ ସଂକ୍ରାନ୍ତରେ ତାଙ୍କୁ ପ୍ରଶ୍ନ କରାଯିବାରୁ ସେପରି ଅଭିଯୋଗ ମୋ ପାଖରେ ପହଞ୍ଚି ନାହିଁ ବୋଲି ସେ କହିଛନ୍ତି। The post ବଦଳୁ ନାହିଁ ଝୁମ୍ପୁଡ଼ି ଭାଡ଼ି, ପାଲଟଣା ଘରର ଚିତ୍ର appeared first on Dharitri Odia News.