ଅନ୍‌ଲକ୍‌ ହେବ କି ୧୬ ପରେ? ନୂଆ ଗାଇଡ୍‌ ଲାଇନ୍‌ ପାଇଁ ଚାହିଁ ବସିଛନ୍ତି ରାଜ୍ୟବାସୀ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ପ୍ରାୟ ଦୁଇବର୍ଷ ପୂରିବାକୁ ଗଲାଣି। ମହାମାରୀ କରୋନା କଲବଲ କରିସାରିଲାଣି। ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଜନତା। ଅନେକ ଲୋକଙ୍କ ଜୀବିକା ଚାଲିଯାଇଛି ଆଉ କିଏ ବଞ୍ଚିବା ପାଇଁ କରୁଛି ସଂଘର୍ଷ। ଆଉ ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ବାଧ୍ୟ ହୋଇ ଲକଡାଉନ୍‌ କରିଛନ୍ତି। ପ୍ରଥମ ତରଙ୍ଗର ଦୁଃଖ ଯାଇନଥିବାବଳେ ଦ୍ଵିତୀୟ ତରଙ୍ଗ ଦାଉ ସାଧିଲା। ଅନେକ ଜୀବନ ଛଡ଼ାଇ ନେଲା। ତେବେ ଲକ୍‌ଡାଉନ୍‌ କିଛି ସ୍ଥାନରେ କୋହଳ ହୋଇଥିଲେ ମଧ୍ୟ […] The post ଅନ୍‌ଲକ୍‌ ହେବ କି ୧୬ ପରେ? ନୂଆ ଗାଇଡ୍‌ ଲାଇନ୍‌ ପାଇଁ ଚାହିଁ ବସିଛନ୍ତି ରାଜ୍ୟବାସୀ appeared first on Odisha Bhaskar.

ଅନ୍‌ଲକ୍‌ ହେବ କି ୧୬ ପରେ? ନୂଆ ଗାଇଡ୍‌ ଲାଇନ୍‌ ପାଇଁ ଚାହିଁ ବସିଛନ୍ତି ରାଜ୍ୟବାସୀ
ଭୁବନେଶ୍ଵର(ଓଡ଼ିଶା ଭାସ୍କର): ପ୍ରାୟ ଦୁଇବର୍ଷ ପୂରିବାକୁ ଗଲାଣି। ମହାମାରୀ କରୋନା କଲବଲ କରିସାରିଲାଣି। ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଜନତା। ଅନେକ ଲୋକଙ୍କ ଜୀବିକା ଚାଲିଯାଇଛି ଆଉ କିଏ ବଞ୍ଚିବା ପାଇଁ କରୁଛି ସଂଘର୍ଷ। ଆଉ ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ବାଧ୍ୟ ହୋଇ ଲକଡାଉନ୍‌ କରିଛନ୍ତି। ପ୍ରଥମ ତରଙ୍ଗର ଦୁଃଖ ଯାଇନଥିବାବଳେ ଦ୍ଵିତୀୟ ତରଙ୍ଗ ଦାଉ ସାଧିଲା। ଅନେକ ଜୀବନ ଛଡ଼ାଇ ନେଲା। ତେବେ ଲକ୍‌ଡାଉନ୍‌ କିଛି ସ୍ଥାନରେ କୋହଳ ହୋଇଥିଲେ ମଧ୍ୟ ରାଜ୍ୟ ଏବେ ବି କରୋନା ସହ ଲଢ଼େଇ କରୁଛି। ତେବେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍‌ କିଛି ଜିଲ୍ଲାରେ ଜାରି ରଖିଥିଲେ ସରକାର। ତେଣୁ ଆଗକୁ କଣ ହେବ ସେନେଇ ଲୋକଙ୍କ ମନରେ ଉତ୍ସୁକତା ବଢ଼ିଛି। ସବୁ କିଛି ପୂର୍ବ ପରି ସ୍ଵାଭାବିକ ହେବ ନା ପୁଣି କଟକଣାରେ ଫେଣ୍ଟି ହେବାକୁ ପଡ଼ିବ ସେନେଇ ଅନେକ ଚିନ୍ତିତ ରହିଛନ୍ତି। ଜୀବନ ଆଉ ଜୀବିକାକୁ ନେଇ ସାରା ରାଇଜବାସୀ ଚିନ୍ତିତ। ସବୁଠି ଦୁଃଖ ଆଉ ଦୁର୍ଦ୍ଦଶା ଭିତରେ ଗତି କରୁଛନ୍ତି ଜନତା। କଣ ଖାଇବେ କେମିତି ବଞ୍ଚିବେ ଆଉ ପରିବାର ସମ୍ଭାଳିବେ ତାହା ବଡ଼ ପ୍ରଶ୍ନ। ଅର୍ଥନୀତି, ଶିକ୍ଷା, ଗମନାଗମନ, ରୋଜଗାର ଆଦି ପ୍ରତିଟି କ୍ଷେତ୍ର ଗୁରୁତ୍ଵର ଭାବେ ପ୍ରଭାବିତ ହୋଇଗଲାଣି। ଅନ୍ୟପଟେ ଦରଦାମ ମଧ୍ୟ ବୃଦ୍ଧି ପାଉଥିବାରୁ ଭୋକର ବିକଳ ଚିତ୍ର ଚାରିଆଡ଼େ ଦେଖିବାକୁ ମିଳୁଛି। ଲକ୍‌ଡାଉନ କାରଣରୁ ସୀମିତ ସମୟ ମଧ୍ୟରେ କିଛି ଦୋକାନ ବଜାର ଯାହା ଖୋଲୁଛି ତାହା କାରବାର ପାଇଁ ଯଥେଷ୍ଟ ହେଉନି କି ସାଧାରଣ ଲୋକଟିଏ ପାଇଁ ସୁବିଧା ଦେଇପାରୁନି। ତେଣୁ କେବେ ପରିସ୍ଥିତି ସ୍ଵାଭାବିକ ହେବ ବୋଲି ସବୁରି ମନରେ ପ୍ରଶ୍ନ। ସରକାରଙ୍କ ନିଷ୍ପତ୍ତିକୁ ଚାହିଁବସିଛନ୍ତି ସମସ୍ତେ। ଅନ୍ୟପକ୍ଷରେ ଲୋକଙ୍କ ଜୀବନ ରକ୍ଷା ପାଇଁ ସୁରକ୍ଷା ଦୃଷ୍ଟିରୁ ସରକାର ବାଧ୍ୟହୋଇ କଟକଣା ଲଗାଉଛନ୍ତି। କିନ୍ତୁ କଣ ହେବ ୧୬ ତାରିଖ ପରେ? ରାତିକାଳୀନ କର୍ଫ୍ୟୁ ଆଉ ଦିନରେ ସୀମିତ କଟକଣାକୁ କୋହଳ କରିବେ କି ସରକାର? ସଂକ୍ରମଣର ହାର ପୂର୍ବାପେକ୍ଷା କମିଥିବାରୁ ଏଭଳି ଆଶା କରାଯାଉଛି। କିନ୍ତୁ ରାଜ୍ୟର ପ୍ରମୁଖ ଦୁଇଟି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଚିନ୍ତା ବଢ଼ାଇଛି। ବିଶେଷକରି ରାଜ୍ୟ ରାଜଧାନୀ ରହିଥିବା ଜିଲ୍ଲା ଖୋର୍ଦ୍ଧା ଆଉ କଟକ ପାଇଁ କିଛି ସ୍ଵତନ୍ତ୍ର ନିୟମ ଲାଗୁ ହୋଇପାରେ। ସେହିପରି ଟୁଇନ୍‌ ସିଟି ପାଇଁ କଟକଣା ବଳବତ୍ତର ରହିପାରେ ବୋଲି ଅନେକ ମତ ଦେଉଛନ୍ତି। କାରଣ ଏହି ଦୁଇଟି ସହରରେ ସାରା ରାଇଜର ଲୋକଙ୍କ ଆତଯାତ। ସେହିପରି କଟକ-ଭୁବନେଶ୍ଵର ଚଳାଚଳ କରୁଥିବା ଲୋକଙ୍କ ସଂଖ୍ୟା ଖୁବ୍‌ ଅଧିକ। ଗହଳି ବଢ଼ିବାର ଆଶଙ୍କା ଅଧିକ ରହିଛି ଏବଂ ସେଦୃଷ୍ଟିରୁ କଟକଣା ଆହୁରି କିଛିଦିନ ରହିପାରେ। ତେବେ ବଡ଼ ବଡ଼ ମଲ୍‌, ଜିମ୍‌ ଆଦି ଖୋଲିବା ପ୍ରତି ବାରଣ ରହିଥିବାବେଳେ ସେ ଦିଗରେ କଣ ବିଚାର କରିବେ ସରକାର ତାହା ଅପେକ୍ଷା। ଖୋର୍ଦ୍ଧା ଓ କଟକ ଜିଲ୍ଲା ଉପରେ ରହିଛି ସରକାରଙ୍କ ନଜର । ଅବଶିଷ୍ଟ ୨୮ଟି ଜିଲ୍ଲାରେ ଆହୁରି କୋହଳ ହୋଇପାରେ ତାଲାବନ୍ଦ କଟକଣା । ତେବେ ଦିନ ଦୁଇଟା ବଦଳରେ ସନ୍ଧ୍ୟା ୬ ଯାଏଁ କଟକଣା କୋହଳ ହୋଇପାରେ । ନାଇଟ୍ କର୍ଫ୍ୟୁ ହଟାଇବା ଉପରେ ମଧ୍ୟ ବିଚାର ଚାଲିଛି । ବସ୍ ଚଳାଚଳ କରିପାରେ ଏବଂ ଜିମ୍ ଏବଂ ସ୍ପା ଖୋଇବା ସପକ୍ଷରେ ନିଷ୍ପତ୍ତି ନେଇପାରନ୍ତି ସରକାର । ମଲ୍ ଖୋଲିବା ନିଷ୍ପତ୍ତି ଜିଲ୍ଳା ପ୍ରଶାସନ ନେଇପାରନ୍ତି । ଚୂଡାନ୍ତ ନିଷ୍ପତ୍ତି କଣ ହେବ ତାକୁ ହିଁ ଅପେକ୍ଷା ରହିଛି । ତେବେ ଅର୍ଥନୀତିକୁ ସୁଧାରିବା ପାଇଁ ସରକାର ନିଶ୍ଚିତ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେବେ ବୋଲି ବିଭିନ୍ନ ମହଲରେ ଆଶା କରାଯାଉଛି। The post ଅନ୍‌ଲକ୍‌ ହେବ କି ୧୬ ପରେ? ନୂଆ ଗାଇଡ୍‌ ଲାଇନ୍‌ ପାଇଁ ଚାହିଁ ବସିଛନ୍ତି ରାଜ୍ୟବାସୀ appeared first on Odisha Bhaskar.