‘ଇଲ୍‌’ ମାଛର ନୂଆ ପ୍ରଜାତି ସନ୍ଧାନ

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାମୁଦ୍ରିକ ବିଜ୍ଞାନରେ ପୁଣି ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ବୈଜ୍ଞାନିକ। ଏକ ପାଞ୍ଚଜଣିଆ ରିସର୍ଚ୍ଚ ଟିମ୍‌ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରୁ ଏକ ନୂଆ ପ୍ରଜାତିର ସାମୁଦ୍ରିକ ଇଲ୍‌ ମାଛ ଆବିଷ୍କୃତ କରିଛନ୍ତି। ଏହାର ବୈଜ୍ଞାନିକ ନାମ ‘ସିର୍‌ହିମୁରାଏନା ଇଣ୍ଡିକା’(Cirrhimuraena Indica) ରଖାଯାଇଛି। ଏହି ଗବେଷଣାରେ ୫ଜଣ ବୈଜ୍ଞାନିକ ସାମିଲ ଥିବାବେଳେ ଏମାନଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ଓଡ଼ିଆ। ଗଞ୍ଜାମ ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର […] The post ‘ଇଲ୍‌’ ମାଛର ନୂଆ ପ୍ରଜାତି ସନ୍ଧାନ appeared first on Dharitri Odia News.

‘ଇଲ୍‌’ ମାଛର ନୂଆ ପ୍ରଜାତି ସନ୍ଧାନ
ଭୁବନେଶ୍ୱର, ୧୦।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାମୁଦ୍ରିକ ବିଜ୍ଞାନରେ ପୁଣି ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ବୈଜ୍ଞାନିକ। ଏକ ପାଞ୍ଚଜଣିଆ ରିସର୍ଚ୍ଚ ଟିମ୍‌ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରୁ ଏକ ନୂଆ ପ୍ରଜାତିର ସାମୁଦ୍ରିକ ଇଲ୍‌ ମାଛ ଆବିଷ୍କୃତ କରିଛନ୍ତି। ଏହାର ବୈଜ୍ଞାନିକ ନାମ ‘ସିର୍‌ହିମୁରାଏନା ଇଣ୍ଡିକା’(Cirrhimuraena Indica) ରଖାଯାଇଛି। ଏହି ଗବେଷଣାରେ ୫ଜଣ ବୈଜ୍ଞାନିକ ସାମିଲ ଥିବାବେଳେ ଏମାନଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ଓଡ଼ିଆ। ଗଞ୍ଜାମ ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ସ୍ବରୂପ ରଞ୍ଜନ ମହାନ୍ତି, କୋଲକାତା ଜେଡ୍‌ଏସ୍‌ଆଇ ସାମୁଦ୍ରିକ ମତ୍ସ୍ୟ ବିଭାଗର ଶୁଭେନ୍ଦୁ ଶେଖର ମିଶ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ବିଭାଗର ଜୟ କିଶୋର ସେଠ, ପଶ୍ଚିମବଙ୍ଗ ବଜ୍‌କୁଲ୍‌ ମିଲନୀ ମହାବିଦ୍ୟାଳୟର ଦୀପଞ୍ଜନ ଦେଙ୍କ ମିଳିତ ଗବେଷଣାରୁ ଏହି ସଫଳତା ମିଳିଛି। ବଙ୍ଗୋପସାଗରରୁ ଧରା ହୋଇଥିବା ୬ଟି ଇଲ୍‌ ସ୍ପେସିମେନକୁ ଓଡ଼ିଶାର ପାରାଦୀପ ଓ ପଶ୍ଚିମବଙ୍ଗର ପେଟୁଘାଟ ହାରବର (ମାଛଧରା କେନ୍ଦ୍ର)ରୁ ସଂଗ୍ରହ କରାଯାଇ ଗୋପାଳପୁର ଜେଡ୍‌ଏସ୍‌ଆଇରେ ଉଦ୍‌ଘାଟିତ ହେବାକୁ ଥିବା ନବ ନିର୍ମିତ ଡିଏନ୍‌ଏ ଲାବ୍‌ରେ ଗବେଷଣା କରାଯାଇଥିଲା। ଗବେଷଣାରୁ ଏହି ନୂଆ ଇଣ୍ଡିକା ଇଲ୍‌ ପ୍ରଜାତିଟି ସେମାନଙ୍କ ଜେନସ ମଧ୍ୟରେ ଥିବା ସମସ୍ତ ପ୍ରଜାତିଠାରୁ ଉଭୟ ବାହ୍ୟ ଓ ଜେନେଟିକ କ୍ୟାରେକ୍ଟରରେ ଅଲଗା ବୋଲି ଜଣାପଡ଼ିଥିଲା। ଏହି ପ୍ରଜାତି ମାଛର ପିଠି ପାର୍ଶ୍ୱର ରଙ୍ଗ ହାଲୁକା ବାଦାମୀ ଓ ପେଟର ରଙ୍ଗ ଈଷତ୍‌ ବାଦାମୀ ହୋଇଥାଏ। ଫର୍ମାଲିନ ଓ ଆଲକୋହଲରେ ସଂରକ୍ଷଣ ପରେ ଶରୀର ରଙ୍ଗ ବଜାୟ ରହିଥିଲେ ମଧ୍ୟ ଡେଣାଗୁଡ଼ିକ ଧଳା ରଙ୍ଗ ଧାରଣ କରିଥାଏ। ଏ ସମ୍ପର୍କରେ ବୈଜ୍ଞାନିକ ଅନିଲ କୁହନ୍ତି, କରୋନା ପାଇଁ ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ହିଁ ଆମେ ଏହି ନୂଆ ପ୍ରଜାତି ଲାଗି ମୁଖ୍ୟ ଗବେଷଣା କରିଥିଲୁ। ଆମ ଦେଶର ନାଁ ଅନୁସାରେ ଏହି ପ୍ରଜାତିକୁ ନାମିତ କରାଇ ପାରିଥିବାରୁ ଆମେ ମଧ୍ୟ ଗର୍ବ ଅନୁଭବ କରୁଛୁ। ସୂଚନାଯୋଗ୍ୟ, ଡ. ଅନିଲ ସାମୁଦ୍ରିକ ଇଲ୍‌ ଗବେଷଣା କ୍ଷେତ୍ରରେ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ‘ସିର୍‌ହିମୁରାଏନା ଇଣ୍ଡିକା’ ଅନିଲଙ୍କ ଦ୍ୱାରା ଆବିଷ୍କୃତ ହୋଇଥିବା ୧୪ତମ ନୂଆ ସାମୁଦ୍ରିକ ଇଲ୍‌ ବୋଲି ଜଣାପଡ଼ିଛି। ମାଛ ଗବେଷଣା ପାଇଁ ପ୍ରସିଦ୍ଧ ‘ଜର୍ନାଲ ଅଫ୍‌ ଫିଶ୍‌ ବାୟୋଲୋଜି’ରେ ଉକ୍ତ ଗବେଷଣା ପ୍ରକାଶିତ ହେବା ପାଇଁ ଗତ ୮ତାରିଖରେ ଗୃହୀତ ହୋଇଛି। The post ‘ଇଲ୍‌’ ମାଛର ନୂଆ ପ୍ରଜାତି ସନ୍ଧାନ appeared first on Dharitri Odia News.