ଉତ୍ପାତ କଲେଣି ଅପରାଧୀ ନାଁ’କୁ ନାକାବନ୍ଦୀ, ସ୍ବତନ୍ତ୍ର ଟିମ୍ ଗଢ଼ିବା ଆବଶ୍ୟକତା ଅଛି

ଭୁବନେଶ୍ବର: ଏବେ କମିସନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେବା ଆରମ୍ଭ କରିଛନ୍ତି ଅପରାଧୀ। ନାକାବନ୍ଦୀକୁ ବେଖାତିର୍‌ କରି ଗୋଟିକ ପରେ ଗୋଟିଏ ଲୁଟ୍‌ତରାଜ ଚଳାଇଛନ୍ତି। ପୂର୍ବରୁ ନିଛାଟିଆ ରାସ୍ତାଘାଟରେ ଲୁଟୁଥିଲେ, କିନ୍ତୁ ଏବେ ରାଜଧାନୀର ଭିଆଇପି କଲୋନିମୁହାଁ ହେଲେଣି। ପୂର୍ବରୁ ରାସ୍ତା ଉପରେ ଏକୁଟିଆ ଦେଖି ଛିନ୍‌ତାଇ କରୁଥିଲେ, ଏବେ ସିଧା ଘର ଅଗଣାରୁ ବନ୍ଧୁକ ଦେଖାଇ ଝାମ୍ପିବା ଆରମ୍ଭ କଲେଣି। ଗତ ୨୬ ତାରିଖ ଦିନ ଲୁଟେରାମାନେ ଏହି ନୂଆ ଝଲକ ଦେଖାଇଥିଲେ ରାଜଧାନୀରେ। ସିଧାସଳଖ […]

ଉତ୍ପାତ କଲେଣି ଅପରାଧୀ ନାଁ’କୁ ନାକାବନ୍ଦୀ, ସ୍ବତନ୍ତ୍ର ଟିମ୍ ଗଢ଼ିବା ଆବଶ୍ୟକତା ଅଛି
ଭୁବନେଶ୍ବର: ଏବେ କମିସନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେବା ଆରମ୍ଭ କରିଛନ୍ତି ଅପରାଧୀ। ନାକାବନ୍ଦୀକୁ ବେଖାତିର୍‌ କରି ଗୋଟିକ ପରେ ଗୋଟିଏ ଲୁଟ୍‌ତରାଜ ଚଳାଇଛନ୍ତି। ପୂର୍ବରୁ ନିଛାଟିଆ ରାସ୍ତାଘାଟରେ ଲୁଟୁଥିଲେ, କିନ୍ତୁ ଏବେ ରାଜଧାନୀର ଭିଆଇପି କଲୋନିମୁହାଁ ହେଲେଣି। ପୂର୍ବରୁ ରାସ୍ତା ଉପରେ ଏକୁଟିଆ ଦେଖି ଛିନ୍‌ତାଇ କରୁଥିଲେ, ଏବେ ସିଧା ଘର ଅଗଣାରୁ ବନ୍ଧୁକ ଦେଖାଇ ଝାମ୍ପିବା ଆରମ୍ଭ କଲେଣି। ଗତ ୨୬ ତାରିଖ ଦିନ ଲୁଟେରାମାନେ ଏହି ନୂଆ ଝଲକ ଦେଖାଇଥିଲେ ରାଜଧାନୀରେ। ସିଧାସଳଖ ଜଣେ ପୁଲିସ ଅଧିକାରୀଙ୍କୁ ବନ୍ଧୁକ ଦେଖାଇ ଲୁଟିଲେ। ଭିଜିଲାନ୍ସ ଡିଏସ୍‌ପି ତନୁଜା ମହାନ୍ତିଙ୍କୁ ତାଙ୍କ ୟୁନିଟ୍-୩ ସରକାରୀ କ୍ବାର୍ଟର୍ସରେ ବନ୍ଧୁକ ମୁନରେ ଲୁଟିଲେ। ପରେ ପରେ ନୟାପଲ୍ଲୀ ଏନ୍-୪-୨୬୩ରେ ୭୦ ବର୍ଷୀୟା ବୃଦ୍ଧା ତୁଳସୀ ଦେଈଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲୁଟିଲେ। ମାତ୍ର ୩ ଘଣ୍ଟା ବ୍ୟବଧାନରେ ଘଟିଥିବା ଏହି ଦୁଇଟି ଲୁଟ୍‌ ମାମଲା ରାଜଧାନୀରେ ହଇଚଇ ସୃଷ୍ଟି କଲା। ତଥାପି ଦୁର୍ବୃତ୍ତମାନେ ପୁଲିସ ପାଇଁ ଅପହଞ୍ଚ ହୋ‌ଇ ଅଛନ୍ତି। ତେଣୁ ଯେଉଁଠି ପୁଲିସ ନିଜେ ସୁରକ୍ଷିତ ନୁହେଁ, ସେଠି ସାଧାରଣ ‌ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସୁରକ୍ଷା ବ୍ୟବସ୍ଥା କେତେ ଦୃଢ଼, ତାହା ଜଳଜଳ ହୋଇ ଦିଶି ଯାଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କେବଳ ଲୁଟ୍‌ପାଟ୍‌ ନୁହେଁ, ରାଜଧାନୀରେ ଅପରାଧୀମାନେ ବି ଖୋଲାଖୋଲି ମାରଣାସ୍ତ୍ର ଧରି ଆତଙ୍କରାଜ୍ ଚଳାଇବା ଭଳି ଘଟଣାମାନ ଦେଖିବାକୁ ମିଳୁଛି। ଗୋଟିଏ ସପ୍ତାହ ଭିତରେ ତିନି ତିନିଟି ସ୍ଥାନରେ ହଣାକଟା ରାଜଧାନୀର ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବାର ଚିତ୍ର ପ୍ରଦର୍ଶନ କରୁଛି। ଜନଗହଳିପୂର୍ଣ୍ଣ ବାପୁଜୀନଗରରୁ ଆରମ୍ଭ କରି ସହିଦନଗର ଓ ନୂଆପଲ୍ଲୀ ପର୍ଯ୍ୟନ୍ତ ସବୁଠାରେ ଚାଲିଛି ହଣାକଟା। ଅପରାଧୀମାନଙ୍କୁ ଖାଲି ଚାହିଁଦେଲେ ବି ମାଫ୍‌ ନାହିଁ। ରାଜଧାନୀରେ କମିସନରେଟ ପୁଲିସ ୪୨ଟି ଜାଗାରେ ନାକାବନ୍ଦୀ କରିଛି, କିନ୍ତୁ ନିୟନ୍ତ୍ରଣ ହେଉନାହିଁ ଅପରାଧୀଙ୍କ କାର୍‌ନାମା। ନାକାକୁ ଭେଦ କରି ଅପରାଧୀମାନେ ବଢ଼ାଇ ଚାଲିଛନ୍ତି ଅପରାଧ। ଚିନ୍ତା ବଢ଼ାଉଛନ୍ତି ଜେଲ୍‌ଫେରନ୍ତା କରୋନା ପାଇଁ ଶୀଘ୍ର ଜେଲ୍‌ରୁ ମୁକୁଳି ଯାଉଥିବା ଅପରାଧୀମାନେ ଏବେ ଅଧିକ ଚିନ୍ତାର କାରଣ ହୋଇଛନ୍ତି। ସହଜରେ ଓ ଶୀଘ୍ର ଜେଲ୍‌ରୁ ମୁକୁଳି ଯାଉଥିବାରୁ ଅପରାଧ ଘଟାଇବାକୁ ସେମାନେ ଭୟ କରୁନାହାନ୍ତି ବୋଲି ଆଇନଜୀବୀ ଚିତ୍ତରଞ୍ଜନ ଦାଶ କହିଛନ୍ତି। ସେହିଭଳି କରୋନା ଡ୍ୟୁଟି ଆଳରେ ପୁଲିସ ଅପରାଧକୁ ଅଣଦେଖା କରୁଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏବେ ରାଜଧାନୀରେ ଦକ୍ଷ ଓ ଅଭିଜ୍ଞ ପୁଲିସ ଅଫିସରଙ୍କ ଅଭାବ ଅପରାଧ ବୃଦ୍ଧିର ଆଉ ଏକ କାରଣ ବୋଲି ମଧ୍ୟ ବୁଦ୍ଧିଜୀବୀମାନେ କହୁଛନ୍ତି। ସ୍ବତନ୍ତ୍ର ଟିମ୍ ଗଢ଼ିବା ଆବଶ୍ୟକତା ଅଛି ମାର୍ଚ୍ଚ ମାସରୁ ପ୍ରାୟ ୪ ମାସ ହେଲା ପୁଲିସ କରୋନା ଡ୍ୟୁଟି ଚାପରେ ରହୁଛି। କରୋନା ସ୍ଥିତି ଭୟଙ୍କର ହେଉଥିବା ବେଳେ ଲୋକ ଆଇନ ଉଲ୍ଲଂଘନ କରୁଛନ୍ତି। ଫଳରେ କରୋନା କଟକଣା ରକ୍ଷା କରିବା ପାଇଁ ଅଧିକ ପୁଲିସ ମୁତୟନ କରିବାକୁ ପଡ଼ୁଛି। ପାଟ୍ରୋଲିଂ ପାଇଁ ଗାଡ଼ି ସଂଖ୍ୟା ମଧ୍ୟ କମୁଛି। ତେଣୁ ଲୋକମାନେ ଅଧିକ ସତର୍କ ରହିବା ଜରୁରି। ତେବେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଟୁଇନ୍ ସିଟି ପାଇଁ ବଛା ବଛା ଅଫିସରଙ୍କୁ ନେଇ ଦୁଇ ତିନୋଟି ସ୍ବତନ୍ତ୍ର ଟିମ୍ ଗଠନ କରି ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିଲେ ଅପରାଧ ହାର ନିୟନ୍ତ୍ରଣକୁ ଆସି ପାରିବ ବୋଲି ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର ମତ ଦେଇଛନ୍ତି। ଜୁନ୍‌ରେ ଶୀର୍ଷରେ ପହଞ୍ଚିଲା ଅପରାଧ ରାଜଧାନୀରେ କ୍ରମାଗତ ଭାବେ ଅପରାଧ ହାର ବଢ଼ି ଚାଲିଛି। ଜୁନ୍‌ରେ ଏହା ରେକର୍ଡ ଭାଙ୍ଗିଛି। କେବଳ ଜୁନ୍‌ ମାସରେ ଘଟିଥିବା ଲୁଟ୍, ଚୋରି,ସିନ୍ଧିଚୋରି ଆଦି ଗତ ୬ ମାସର ରେକର୍ଡ ଭାଙ୍ଗିଛି। ମିଳିଥିବା ସୂଚନା ଅନୁସାରେ ଜୁନ୍‌ରେ ୨୧ଟି ଲୁଟ୍, ୩୬ଟି ସିନ୍ଧିଚୋରି, ୧୫୦ଟି ଚୋରି ମାମଲା ରୁଜୁ ହୋଇଛି। ମେ ମାସରେ ୬ଟି ଲୁଟ୍, ୨୬ ସିନ୍ଧିଚୋରି ଓ ୧୦୨ଟି ଚୋରି ମାମଲା ରୁଜୁ ହୋଇଥିଲା। ଜୁଲାଇ ଶେଷ ହେବାକୁ ବସିଥିବା ବେଳେ କ୍ରମାଗତ ଭାବେ ବଢ଼ି ଚାଲିଥିବା ଲୁଟ୍, ଚୋରି, ସିନ୍ଧିଚୋରି ଜୁନ୍ ରେକର୍ଡକୁ କାଟିବ ବୋଲି ଅନୁମାନ କରାଯାଉଛି। ରେକର୍ଡକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଜାନୁଆରିରୁ ଜୁନ୍‌ ପର୍ଯ୍ୟନ୍ତ ୬ ମାସ ମଧ୍ୟରେ ରାଜଧାନୀରେ ୮ଟି ଡକାୟତି, ୮୫ଟି ଲୁଟ୍‌, ୧୫୫ଟି ସିନ୍ଧିଚୋରି ଓ ୮୨୩ଟି ଚୋରି ହୋଇଛି। ତେଣୁ ରାଜଧାନୀ କେତେ ସୁରକ୍ଷିତ, ତାହା ଏହି ରେକର୍ଡରୁ ସ୍ପଷ୍ଟ ହୋଇଯାଉଛି।