କେମିତି ଅଛନ୍ତି… ଆଠଗଡ଼ ଓ ଟାଙ୍ଗୀ-ଚୌଦ୍ବାର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରସାନନ୍ଦ ସାହୁ

ଆଠଗଡ଼: ଆଠଗଡ଼ ଓ ଟାଙ୍ଗୀ-ଚୌଦ୍ବାର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରସାନନ୍ଦ ସାହୁ। ୧୯୩୭ ମସିହାରେ ଆଠଗଡ଼ ବ୍ଲକ୍‌ର ଗୁରୁଡ଼ିଝାଟିଆରେ ଭାଗବତ ସାହୁ ଓ ଚମ୍ପାବତୀ ସାହୁଙ୍କ କୋଳମଣ୍ଡନ କରିଥିଲେ ରସାନନ୍ଦ। ପିଲାଟି ଦିନରୁ ଜନସେବା କରିବାକୁ ଲକ୍ଷ୍ୟ ରଖି‌ଥିବାରୁ ରସାନନ୍ଦ ଶିକ୍ଷକ ଚାକିରି ଛାଡ଼ି ରାଜନୀତିରେ ସକ୍ରିୟ ହୋଇଥିଲେ। ଏହାପରେ ଆଠଗଡ଼ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ଓ ବିଧାୟକ ଭାବେ ଦକ୍ଷତାର ସହ କାର୍ଯ୍ୟ କରି ଲୋକପ୍ରିୟ ହୋଇପାରିଥିଲେ। […] The post କେମିତି ଅଛନ୍ତି... ଆଠଗଡ଼ ଓ ଟାଙ୍ଗୀ-ଚୌଦ୍ବାର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରସାନନ୍ଦ ସାହୁ first appeared on Sambad.

କେମିତି ଅଛନ୍ତି… ଆଠଗଡ଼ ଓ ଟାଙ୍ଗୀ-ଚୌଦ୍ବାର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରସାନନ୍ଦ ସାହୁ
ଆଠଗଡ଼: ଆଠଗଡ଼ ଓ ଟାଙ୍ଗୀ-ଚୌଦ୍ବାର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରସାନନ୍ଦ ସାହୁ। ୧୯୩୭ ମସିହାରେ ଆଠଗଡ଼ ବ୍ଲକ୍‌ର ଗୁରୁଡ଼ିଝାଟିଆରେ ଭାଗବତ ସାହୁ ଓ ଚମ୍ପାବତୀ ସାହୁଙ୍କ କୋଳମଣ୍ଡନ କରିଥିଲେ ରସାନନ୍ଦ। ପିଲାଟି ଦିନରୁ ଜନସେବା କରିବାକୁ ଲକ୍ଷ୍ୟ ରଖି‌ଥିବାରୁ ରସାନନ୍ଦ ଶିକ୍ଷକ ଚାକିରି ଛାଡ଼ି ରାଜନୀତିରେ ସକ୍ରିୟ ହୋଇଥିଲେ। ଏହାପରେ ଆଠଗଡ଼ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ଓ ବିଧାୟକ ଭାବେ ଦକ୍ଷତାର ସହ କାର୍ଯ୍ୟ କରି ଲୋକପ୍ରିୟ ହୋଇପାରିଥିଲେ। ୧୯୮୦ ମସିହାରେ ଆଠଗଡ଼ ବିଧାୟକ ପଦରୁ ମାତ୍ର ୪ମାସ ପରେ ଇସ୍ତଫା ଦେଇ ଚର୍ଚ୍ଚିତ ହୋଇଥିଲେ ସେ। ରସାନନ୍ଦଙ୍କୁ ବର୍ତ୍ତମାନ ବୟସ ୮୪ ଛୁଇଁଲାଣି। ବାର୍ଦ୍ଧକ୍ୟରେ ଉପନୀତ ହୋଇଥିଲେ ମଧ୍ୟ ସେ ଏବେ ବି କର୍ମଚଞ୍ଚଳ ଅଛନ୍ତି। ବୟସାଧିକ ସତ୍ତ୍ବେ ରାଜନୀତିରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇନାହାନ୍ତି। ବିଭିନ୍ନ ସମୟରେ କଂଗ୍ରେସର ଦଳୀୟ କାର୍ଯ୍ୟକ୍ରମରେ ସେ ଯୋଗଦେଉଥିବା ଦେଖାଯାଏ। ତାଙ୍କର ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିଥିଲେ ମଧ୍ୟ ସାମାନ୍ୟ ସ୍ନାୟୁଗତ ସମସ୍ୟା ଦେଖାଦେଇଛି। ସେ ଏବେ ଖାଦ୍ୟପେୟରେ ବିଶେଷ ଧ୍ୟାନ ଦେଉଛନ୍ତି। ଖବରକାଗଜ ପଢ଼ିବା, ଟିଭି ଦେଖିବା ଓ ନାତିନାତୁଣୀଙ୍କ ମେଳରେ ତାଙ୍କର ଅବସର ସମୟ କଟିଥାଏ। ଯେକୌଣସି ସମୟରେ କଂଗ୍ରେସ ଦଳର କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ଆସିଲେ ସେ ଯୋଗଦିଅନ୍ତି ବୋଲି କହିଛନ୍ତି। କଂଗ୍ରେସ ସରକାର ଅମଳରେ କୃଷକମାନଙ୍କୁ ଅଗ୍ରାଧିକାର ଦିଆଯାଉଥିଲା। ବର୍ତ୍ତମାନ ଚାଷୀମାନେ ହଇରାଣ ହରକତ ହେଉଛନ୍ତି। ସେମାନଙ୍କ ଦୁଃଖ ବୁଝିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆନ୍ତରିକତା ପ୍ରକାଶ ନ କରି କେବଳ ଶସ୍ତା ସ୍ଳୋଗାନବାଜି ରାଜନୀତି କରୁଥିବା ନେଇ କ୍ଷୋଭ ପ୍ରକାଶ କରନ୍ତି ରସାନନ୍ଦ ସାହୁ। ୧୯୬୬ରୁ ୧୯୭୦ ମସିହା ପର୍ଯ୍ୟନ୍ତ କୁମାରପୁର ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ରସାନନ୍ଦ। ଚାକିରି ଛାଡ଼ି ରାଜନୀତିରେ ସକ୍ରିୟ ହେବା ସହ ୧୯୭୧ରୁ ୧୯୭୫ ମସିହା ପର୍ଯ୍ୟନ୍ତ ସେ ଆଠଗଡ଼ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୧୯୭୪ ମସିହାରେ ଆଠଗଡ଼ ନିର୍ବାଚନମଣ୍ଡଳୀରୁ ପ୍ରଥମେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଧାନାଥ ରଥଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରି ସେ ପରାଜିତ ହୋଇଥିଲେ। ପରବର୍ତ୍ତୀ ସମୟରେ କଂଗ୍ରେସ ଦଳ ପକ୍ଷରୁ ୧୯୭୭ ମସିହାରେ ପ୍ରତିଦ୍ବନ୍ଦ୍ବିତା କରି ପରାଜୟ ବରଣ କରିଥିଲା ବେଳେ ୧୯୮୦ରେ ଅଚ୍ୟୁତାନନ୍ଦ ଦାଶଙ୍କୁ ହରାଇ ଆଠଗଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୪ମାସ ବିଧାୟକ ପଦରେ ରହି ଇସ୍ତଫା ଦେଇଥିଲେ ରସାନନ୍ଦ। ଏହାପରେ ଅନୁଷ୍ଠିତ ଉପନିର୍ବାଚନରେ ଜାନକୀବଲ୍ଲଭ ପଟ୍ଟନାୟକ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରିଥିଲେ। ଜାନକୀବଲ୍ଲଭ ମୁଖ୍ୟମନ୍ତ୍ରୀ ହେବା ପରେ ରସାନନ୍ଦ ୪ବର୍ଷ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ଆଠଗଡ଼ ସହରରେ ୬ ଏକର ଜମିରେ ସଡ଼କ ପରିବହନ ନିଗମ ପକ୍ଷରୁ ବସଷ୍ଟାଣ୍ତ ନିର୍ମାଣ କରି ସେ ଲୋକପ୍ରିୟ ହୋଇପାରିଥିଲେ। ୧୯୮୫ରୁ ୧୯୯୦ ମସିହା ପର୍ଯ୍ୟନ୍ତ ଟାଙ୍ଗୀ-ଚୌଦ୍ବାର ବିଧାୟକ ଭାବେ ନିର୍ବାଚିତ ହୋଇ ସେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ୧୯୮୦ ମସିହାରେ ଗୁରୁଡ଼ିଝାଟିଆରେ ବାଳିକା ଉଚ୍ଚବିଦ୍ୟାଳୟ ଓ ୧୯୮୬ ମସିହାରେ ଚୌଦ୍ବାର ପୌରାଞ୍ଚଳରେ ବାଳିକା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା କରିବାରେ ମୁଖ୍ୟ ପୁରୋଧା ଥିଲେ ସେ। ଆଠଗଡ଼ ଶୀତଳଭଣ୍ଡାରର ପ୍ରତିଷ୍ଠାତା ସଭାପତି ମଧ୍ୟ ଥିଲେ ବର୍ଷିୟାନ ରାଜନେତା ରସାନନ୍ଦ ସାହୁ।The post କେମିତି ଅଛନ୍ତି... ଆଠଗଡ଼ ଓ ଟାଙ୍ଗୀ-ଚୌଦ୍ବାର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରସାନନ୍ଦ ସାହୁ first appeared on Sambad.