ଖଲ୍ଲିକୋଟ କଲେଜ ହେଲା ଏକକ ବିଶ୍ୱବିଦ୍ୟାଳୟ: ଦକ୍ଷିଣ ଓଡ଼ିଶାକୁ ନବୀନଙ୍କ ଆଉ ଏକ ଶିକ୍ଷା ଉପହାର

ଲେଖକ : ପ୍ରତିଭା ନେପାକ କେବଳ ଅବିଭକ୍ତ ଗଞ୍ଜାମ ଜିଲ୍ଲା ନୁହେଁ, ବରଂ ସାରା ରାଜ୍ୟ ଏପରିକି ଦେଶର ଅନ୍ୟତମ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ମହାବିଦ୍ୟାଳୟ । ଦେଢ଼ଶହ ବର୍ଷରୁ ଅଧିକ ପ୍ରାଚୀନ ଏଇ ଶିକ୍ଷାନୁଷ୍ଠାନ ୧୮୫୬ ମସିହାରେ ଏକ ସ୍କୁଲ ଭାବେ ଆରମ୍ଭ ହୋଇ ପରେ ମହାବିଦ୍ୟାଳୟରେ ପରିଣତ ହୋଇଥିଲା । ଆମ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଅନ୍ୟତମ ଉଜ୍ଜଳମୟ ତାରକା ଏଇ ମହାବିଦ୍ୟାଳୟରୁ ଅନେକ ସୁନାମଧନ୍ୟ ବିଦ୍ୟାର୍ଥୀ ବାହାରି କେବଳ ଜାତୀୟ ନୁହେଁ, ବରଂ […] The post ଖଲ୍ଲିକୋଟ କଲେଜ ହେଲା ଏକକ ବିଶ୍ୱବିଦ୍ୟାଳୟ: ଦକ୍ଷିଣ ଓଡ଼ିଶାକୁ ନବୀନଙ୍କ ଆଉ ଏକ ଶିକ୍ଷା ଉପହାର appeared first on The News Room.

ଖଲ୍ଲିକୋଟ କଲେଜ ହେଲା ଏକକ ବିଶ୍ୱବିଦ୍ୟାଳୟ: ଦକ୍ଷିଣ ଓଡ଼ିଶାକୁ ନବୀନଙ୍କ ଆଉ ଏକ ଶିକ୍ଷା ଉପହାର
ଲେଖକ : ପ୍ରତିଭା ନେପାକ କେବଳ ଅବିଭକ୍ତ ଗଞ୍ଜାମ ଜିଲ୍ଲା ନୁହେଁ, ବରଂ ସାରା ରାଜ୍ୟ ଏପରିକି ଦେଶର ଅନ୍ୟତମ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ମହାବିଦ୍ୟାଳୟ । ଦେଢ଼ଶହ ବର୍ଷରୁ ଅଧିକ ପ୍ରାଚୀନ ଏଇ ଶିକ୍ଷାନୁଷ୍ଠାନ ୧୮୫୬ ମସିହାରେ ଏକ ସ୍କୁଲ ଭାବେ ଆରମ୍ଭ ହୋଇ ପରେ ମହାବିଦ୍ୟାଳୟରେ ପରିଣତ ହୋଇଥିଲା । ଆମ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଅନ୍ୟତମ ଉଜ୍ଜଳମୟ ତାରକା ଏଇ ମହାବିଦ୍ୟାଳୟରୁ ଅନେକ ସୁନାମଧନ୍ୟ ବିଦ୍ୟାର୍ଥୀ ବାହାରି କେବଳ ଜାତୀୟ ନୁହେଁ, ବରଂ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଆମ ରାଜ୍ୟ ଓ ଆମ ଦେଶ ପାଇଁ ଗର୍ବ, ଗୌରବ ଆଣି ଦେଇଛନ୍ତି। ସେହି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଜରିଆରେ ଦକ୍ଷିଣ ଓଡ଼ିଶାକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଉ ଏକ ଉପହାର ଭେଟି ଦେଇଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଏକ ଦାବି ପୂରଣ ହୋଇପାରିଛି । ନବୀନଙ୍କ ଏହି ନିଷ୍ପତ୍ତି କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ବରଂ ରାଜ୍ୟର ଶିକ୍ଷାବିତ୍, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ପୁରାତନ ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସି ଆଣିଦେଇଛି । ଏହି ଘୋଷଣା ଅବସରରେ ଯାହା ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ତାହା ବେଶ୍ ଉଲ୍ଲେଖଯୋଗ୍ୟ । ଏହି ଉଚ୍ଚଶିକ୍ଷାନୁଷ୍ଠାନର ଭବିଷ୍ୟତ ପାଇଁ ଏକ ମାର୍ଗଦର୍ଶିକା କହିଲେ ଭୁଲ ହେବନି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ- ରାଜ୍ୟର ଅନ୍ୟତମ ପୁରାତନ ଓ ଖ୍ୟାତନାମା ମହାବିଦ୍ୟାଳୟ ଖଲ୍ଲିକୋଟ ସ୍ଵୟଂଶାସିତ କଲେଜ । ଏହାର ଶିକ୍ଷା ପରମ୍ପରା ମଧ୍ୟ ବେଶ୍ ସମୃଦ୍ଧ । ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ସହ ଏହି ଉଚ୍ଚ ଶିକ୍ଷାନୁଷ୍ଠାନର ଏକ ନୂଆ ଶୈକ୍ଷିକ ଯାତ୍ରା (ଏକାଡେମିକ୍‌ ଜର୍ଣ୍ଣି) ଆରମ୍ଭ ହେବ ଯାହା ଯୁଗପଯୋଗୀ ଗବେଷଣା, ନୂତନ ଶିକ୍ଷାଦାନକୁ ଉତ୍ସାହିତ କରିବ । ବ୍ରହ୍ମପୁରରେ ଏକ ହାଇସ୍କୁଲ ଭାବେ ୧୮୫୬ ମସିହାରେ ଏହାର ମୂଳଦୁଆ ପଡିଥିଲା । ୧୮୭୮ରେ ଇଣ୍ଟରମିଡିଏଟ୍ କଲେଜରେ ପରିଣତ ହୋଇଥିଲା । ୧୮୯୩ ମସିହାରେ ଏହାର ନାମ ନେଟିଭ୍ କଲେଜରୁ ବଦଳି ଖଲ୍ଲିକୋଟ ମହାବିଦ୍ୟାଳୟ ହୋଇଥିଲା । ତତ୍କାଳୀନ ଖଲ୍ଲିକୋଟ ରାଜା ଏହାର କ୍ୟାମ୍ପସ୍ ପାଇଁ ୧୬.୫ ଏକର ଜମି ଦାନ କରିଥିଲେ । ୧୯୪୪ରୁ ଏଠାରେ କଳା ଓ ବିଜ୍ଞାନ ଏବଂ ୧୯୬୩ରୁ ବାଣିଜ୍ୟ ଓ ଗଣିତ ସ୍ନାତକ (ଡିଗ୍ରୀ) ଶିକ୍ଷାଦାନ ଆରମ୍ଭ ହୋଇଥିଲା । ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ବିଭିନ୍ନ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ଯଦିଓ ଏହି ଉଚ୍ଚଶିକ୍ଷାନୁଷ୍ଠାନର ଶିକ୍ଷା ପରମ୍ପରା ବେଶ୍ ସମୃଦ୍ଧ, ଏହାର ସମସାମୟିକ ରେଭେନ୍ସା କଲେଜିଏଟ୍, ଗଙ୍ଗାଧର ମେହେର ଅଟୋନୋମସ୍‌ କଲେଜ ପରବର୍ତ୍ତୀ ସମୟରେ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇ ଅଗ୍ରଗତି କରୁଛନ୍ତି ।  ଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟର ନିଜସ୍ବ ଗୌରବ, ମାନ୍ୟତା ବଜାୟ ରଖିବା ପାଇଁ ସେତେବେଳେ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ସ୍ବର ଉତ୍ତୋଳନ କରିଥିଲେ । ଫଳରେ ସରକାର ଖଲ୍ଲିକୋଟ ସ୍ଵୟଂଶାସିତ କଲେଜକୁ ବଜାୟ ରଖିଲେ । କିନ୍ତୁ କ୍ଲଷ୍ଟର୍ ୟୁନିଭର୍ସିଟୀ (ପରବର୍ତ୍ତୀ ସମୟରେ ରିସର୍ଚ୍ଚ ୟୁନିଭର୍ସିଟୀ ଭାବେ ନାମକରଣ) ତାର ଗୁରୁତ୍ବ ହରାଇ ବସିଲା । ଏବେ ସେସବୁ ଦ୍ଵନ୍ଦ୍ବର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡ଼ିଶାର ଏହି ପୁରାତନ ମହାବିଦ୍ୟାଳୟକୁ ୟୁନିଟାରୀ ୟୁନିଭର୍ସିଟୀ ମାନ୍ୟତା ଦେଇ ଏହାର ଭବିଷ୍ୟତ ପଥକୁ ସୁଗମ କରିଛନ୍ତି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ରଙ୍କ କହିବା ମୁତାବକ ରାଜ୍ୟ ସରକାର ସଠିକ୍ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଏହି ଉଚ୍ଚଶିକ୍ଷାନୁଷ୍ଠାନ ଏବେ ସରକାରଙ୍କ ଠାରୁ ଯଥେଷ୍ଟ ଅନୁଦାନ ପାଇପାରିବ । ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏହା ସହାୟକ ହେବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉଚିତ ସମୟରେ ଆସିଛି । ଏଥିରେ କୌଣସି ବିଳମ୍ବ ହୋଇନି । କୋଭିଡ୍ ମହାମାରୀ ସମୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଏହା ଯଥାର୍ଥ ଘୋଷଣା ବୋଲି କହିଛନ୍ତି ବ୍ରହ୍ମପୁରର ଅବସରପ୍ରାପ୍ତ ପ୍ରଫେସର କିଶୋର ଚନ୍ଦ୍ର ସାହୁ । କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ବିଶ୍ବଜିତ ପାତ୍ର କହିଛନ୍ତି ଯେ ସ୍ଥାନୀୟ ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପରେ ଏକକ ବିଶ୍ବବିଦ୍ୟାଳୟ ଭାବେ ନିଜର ଶିକ୍ଷା ଖସଡ଼ା, ପରୀକ୍ଷା ଓ ରେଜଲ୍ଟ, ଡିଗ୍ରୀ ସାଟିଫିକେଟ୍ ପ୍ରଦାନ ସାଙ୍ଗକୁ ନିଜ କାର୍ଯ୍ୟପଦ୍ଧତି ଲାଗୁ କରିହେବ । ବର୍ତ୍ତମାନ ସ୍ଵୟଂଶାସିତ ମହାବିଦ୍ୟାଳୟର ଏକ୍‌ଜିକ୍ୟୁଟିଭ୍ କମିଟି, ଏକାଡେମିକ୍ କାଉନ୍‌ସିଲ୍, ବୋର୍ଡ ଅଫ୍ ଷ୍ଟଡିଜ୍, ଫାଇନାନ୍ସ କମିଟି ଭଳି ସ୍ୱୟଂଶାସିତ ପରିଷଦ ଅଛି । ସ୍ନାତକ ସାଙ୍ଗକୁ ସ୍ନାତକୋତ୍ତର, ଏମ୍.ଫିଲ, ବିଏଡ୍ ଓ ସେଲ୍ଫ ଫାଇନାନ୍ସ କୋର୍ସ ମଧ୍ୟ ରହିଛି। ଉଲ୍ଲେଖନୀୟ କଥା ଯେ- ଏହି ମହାବିଦ୍ୟାଳୟ ନିଜର ୱେବ୍‌ସାଇଟ୍‌ରେ ‘ଭିଜନ୍ ୨୦୨୦’ ରେ ପରବର୍ତ୍ତୀ ୨୦ ବର୍ଷ ସକାଶେ ଯେଉଁ ପ୍ରଗତିର ପଥ (ରୋଡ୍ ମ୍ୟାପ୍) ନିର୍ଦ୍ଧାରଣ କରିଥିଲା ତାହାର ଶୀର୍ଷରେ ଥିଲା ଏକକ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ।ଆଉ ତାହାକୁ ବାସ୍ତବ ରୂପ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ଆଶାନୁରୂପକ ଯୁଗପଯୋଗୀ ପାଠ୍ୟକ୍ରମ ସହ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଗବେଷଣା କେନ୍ଦ୍ର ରୂପେ ଗଢ଼ି ଉଠିବ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ। ଇ- ଗଭର୍ଣ୍ଣାନ୍ସ, ଇ- ଲାଇବ୍ରେରୀ, ଔଦ୍ୟୋଗିକ ବିକାଶ ତଥା ଶିଳ୍ପ ସହ ଜଡ଼ିତ ସେଲ୍ଫ ଫାଇନାନ୍ସ କୋର୍ସ ସାଙ୍ଗକୁ ପ୍ଲେସମେଣ୍ଟ ସେଲ୍ ଆଦି କାର୍ଯ୍ୟକ୍ଷମ ହୋଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସାଙ୍ଗକୁ ନିଯୁକ୍ତିର ଅନେକ ସୁଯୋଗ ଆଣିଦେବ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ସାମଗ୍ରୀକ ବିକାଶ ନିମନ୍ତେ ଉଦ୍ଦିଷ୍ଟ ଏହି ଘୋଷଣାକୁ ସାରା ରାଜ୍ୟରେ ସ୍ବାଗତ କରାଯାଉଛି । ଲେଖକ ତଥା ଇତିହାସ ଗବେଷକ The post ଖଲ୍ଲିକୋଟ କଲେଜ ହେଲା ଏକକ ବିଶ୍ୱବିଦ୍ୟାଳୟ: ଦକ୍ଷିଣ ଓଡ଼ିଶାକୁ ନବୀନଙ୍କ ଆଉ ଏକ ଶିକ୍ଷା ଉପହାର appeared first on The News Room.