ଡାକ୍ତରଙ୍କୁ କରୋନା ଭୟ: ୩ ମିଟର ଦୂରରେ ରହି ଲେଖୁଛନ୍ତି ପ୍ରେସ୍‌କ୍ରିପ୍ସନ

ଭୁବନେଶ୍ୱର୧୦/୦୭: ରୋଗୀଟିଏ ପାଖକୁ ଆସିଲେ ଡାକ୍ତର ତାଙ୍କୁ ଚୌକିରେ ବସାଉ ଥିଲେ । ନାଡ଼ି ଚିପି ରକ୍ତ ସଂଚାଳନ ପରଖୁଥିଲେ । ଷ୍ଟେଥୋସ୍କୋପ ପକାଉଥିଲେ । ରକ୍ତଚାପ ବି ମାପୁଥିଲେ । ହେଲେ ୪ ମାସ ଭିତରେ ସବୁ ଓଲଟପାଲଟ ହୋଇଯାଇଛି । ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ବି କରୋନା ଭୟରେ ଥରହର । ଏବେ ଡାକ୍ତର ରୋଗୀଙ୍କୁ ଛୁଇଁବା ତ ଦୂରର କଥା, ଦେଖିବାକୁ ମଧ୍ୟ ସାହସ ଜୁଟାଇ ପାରୁନାହାନ୍ତି । ରୋଗୀ ଓ […]

ଡାକ୍ତରଙ୍କୁ କରୋନା ଭୟ: ୩ ମିଟର ଦୂରରେ ରହି ଲେଖୁଛନ୍ତି ପ୍ରେସ୍‌କ୍ରିପ୍ସନ
ଭୁବନେଶ୍ୱର୧୦/୦୭: ରୋଗୀଟିଏ ପାଖକୁ ଆସିଲେ ଡାକ୍ତର ତାଙ୍କୁ ଚୌକିରେ ବସାଉ ଥିଲେ । ନାଡ଼ି ଚିପି ରକ୍ତ ସଂଚାଳନ ପରଖୁଥିଲେ । ଷ୍ଟେଥୋସ୍କୋପ ପକାଉଥିଲେ । ରକ୍ତଚାପ ବି ମାପୁଥିଲେ । ହେଲେ ୪ ମାସ ଭିତରେ ସବୁ ଓଲଟପାଲଟ ହୋଇଯାଇଛି । ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ବି କରୋନା ଭୟରେ ଥରହର । ଏବେ ଡାକ୍ତର ରୋଗୀଙ୍କୁ ଛୁଇଁବା ତ ଦୂରର କଥା, ଦେଖିବାକୁ ମଧ୍ୟ ସାହସ ଜୁଟାଇ ପାରୁନାହାନ୍ତି । ରୋଗୀ ଓ ଡାକ୍ତରଙ୍କ ଭିତରେ ଦୂରତା ରହୁଛି ୧୦ ଫୁଟରୁ ଅଧିକ । ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନା, ସବୁଠି ଦେଖିବାକୁ ମିଳୁଛି ସମାନ ଚିତ୍ର। କରୋନା ରୋଗୀଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ଅଲଗା ରୋଗରେ ପୀଡ଼ିତ ସେମାନଙ୍କୁ ମଧ୍ୟ ଡାକ୍ତର ସ୍ପର୍ଶ କରୁନାହାନ୍ତି । ରାଜଧାନୀରେ କିଭଳି ଭାବେ ରୋଗୀ ପରୀକ୍ଷା କରାଯାଉଛି ତାହାର ବାସ୍ତବ ସ୍ଥିତି ପରଖିଥିଲା “ପ୍ରମେୟ’ । ୮ ତାରିଖ ବୁଧବାର ସକାଳ ପ୍ରାୟ ୧୦ଟା । କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପହଞ୍ଚି ଥିଲୁ । ପ୍ରଥମେ ଯାଇଥିଲୁ ଏମରଜେନ୍ସି ୱାର୍ଡକୁ । ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ମ୍ୟାଡାମ୍‌ ପିପିଇ କିଟ୍‌ ପିନ୍ଧି ବସିଥିଲେ । ପାଖାପାଖି ୨୦ ମିନିଟ୍‌ ଅପେକ୍ଷା କରିବା ପରେ ମାତ୍ର ଦୁଇ ଜଣ ରୋଗୀ ଆସିଲେ । ମହିଳା ଜଣଙ୍କର ପେଟ ଦରଜ ହେଉଥିଲା । ମଝିରେ ମଝିରେ ମୁଣ୍ଡା ବୁଲାଇ ଦେଉଥିଲା । ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର ମ୍ୟାଡାମ୍‌ ଚଟାପଟ୍‌ ତାଙ୍କ ହାତରୁ ପ୍ରେସ୍‌କ୍ରିପସନ୍‌ ଟାଣି ନେଇଥିଲେ। ୩ ମିଟର ଦୂରରେ ପଡ଼ିଥିବା ଚୌକିରେ ବସିବାକୁ କହିଥିଲେ । ପଚାରିଥିଲେ, କ’ଣ ହେଉଛି? ମହିଳା ଜଣଙ୍କ ତାଙ୍କ ଶରୀର ବିଷୟରେ କହିବା ମାତ୍ରେ ଚିଠା ଲେଖି ଔଷଧ ପାଇଁ ପଠାଇ ଦେଇଥିଲେ । ହେଲେ ତାଙ୍କର ରକ୍ତଚାପ ପରୀକ୍ଷା କରାଯାଇନଥିଲା । ଏପରିକି ଡାକ୍ତର ତାଙ୍କ ପେଟରେ ହାତ ବି ମାରି ନଥିଲେ। ଏହାପରେ ଓପିଡି ବ୍ଲକ୍‌କୁ ଯାଇଥିଲୁ । ଦାନ୍ତ ଓ ମାନସିକ ରୋଗ ବିଭାଗରେ ଜଣେ ବି ରୋଗୀ ନଥିଲେ। କେବଳ ଡାକ୍ତର ତାଙ୍କ ସିଟ୍‌ରେ ବସି ରହିଥିଲେ । କିନ୍ତୁ ରୋଗୀଙ୍କ ଚୌକିଠାରୁ ଡାକ୍ତରଙ୍କ ଦୂରତା ଥିଲା ପାଖାପାଖି ୩ ମିଟରରୁ ଅଧିକ । ମେଡିସିନ୍‌ ବିଭାଗରେ ସବୁଠୁ ଅଧିକ ରୋଗୀ ଥିଲେ । ସମସ୍ତେ ଚୌକିରେ ବସି ଅପେକ୍ଷା କରିଥିଲେ । ଭିତରେ ଡାକ୍ତର ପିପିଇ କିଟ୍‌ ପିନ୍ଧି ବସିଥିଲେ । ସିକ୍ୟୁରିଟି ଗାର୍ଡ ଜଣ ଜଣ କରି ରୋଗୀଙ୍କୁ ଭିତରକୁ ଛାଡ଼ୁଥିଲେ। ସେଠାରେ ଡାକ୍ତର ଓ ରୋଗୀଙ୍କ ଭିତରେ ବ୍ୟବଧାନ ଯଥେଷ୍ଟ ଅଧିକ ଥିଲା। ଡାକ୍ତର ବାବୁ କେବଳ ରୋଗୀଙ୍କ ସମସ୍ୟା ପଚାରି ଔଷଧ ଚିଠା ଲେଖୁଥିଲେ। କାହା ଛାତିରେ ଷ୍ଟେଥୋସ୍କୋପ ପକାଉନଥିଲେ କି ରକ୍ତଚାପ ପରୀକ୍ଷା କରୁନଥିଲେ। ସେଠାରେ କିଛି ସମୟ ରହିବା ପରେ ଯାଇଥିଲୁ ଅସ୍ଥିଶଲ୍ୟ ବିଭାଗକୁ । ସେଠାରେ ଡାକ୍ତର ପିପିଇ ପିନ୍ଧି ନଥିଲେ । ରୋଗୀମାନେ ଦୁଆର ମୁହଁରେ ପଡ଼ିଥିବା ଚୌକିରେ ବସିଥିବା ବେଳେ ଡାକ୍ତର ବସିଥିଲେ ୧୨ ଫୁଟ୍‌ରୁ ଅଧିକ ଦୂରରେ । ରୋଗୀଙ୍କଠୁ ସମସ୍ୟା ଶୁଣି ସେ ପ୍ରେସ୍‌କ୍ରିପସନ୍‌ ଲେଖୁଥିଲେ । ଏନେଇ ସରୋଜିନୀ ମହାନ୍ତି ନାମକ ଜଣେ ରୋଗୀ କହିଛନ୍ତି, ଡାକ୍ତରଙ୍କୁ ଦେଖାଇଲି । ହେଲେ ଡାକ୍ତର କ’ଣ ଦେଖିଲେ, କ’ଣ ଜାଣି ଔଷଧ ଲେଖିଲେ, କିଛି ବୁଝି ହେଲାନି । ଡାକ୍ତରଙ୍କୁ ଦୋଷ ଦେଇ ଲାଭ ନାହିଁ । ସମସ୍ତଙ୍କ ଜୀବନ ଅଛି । ତେବେ ଏଇଟା ସତ କଥା ପ୍ରଥମ ଥର ପାଇଁ ଡାକ୍ତରଙ୍କୁ ଦେଖାଇ ମଧ୍ୟ ମୁଁ ମାନସିକ ଭାବେ ସନ୍ତୁଷ୍ଟ ନୁହେଁ । ଦେଖାଯାଉ ରୋଗ ଭଲ ହେଉଛି ନା ନାହିଁ । ମନ୍‌ସୁର ହକ୍‌ ନାମକ ରୋଗୀଙ୍କୁ ନେଇ ଆସିଥିବା ତାଙ୍କ ଝିଅ ନସୀମା କହିଲେ, ଦୂରରୁ ହେଉ ପଛକେ ଡାକ୍ତରଙ୍କୁ ଦେଖାଇ ଆଜି ଔଷଧ ନେଇଛୁ । ଯେଉଁଭଳି ଭାବେ ଡାକ୍ତର, ନର୍ସ ସଂକ୍ରମିତ ହେଲେଣି, ଏ ଅବସ୍ଥାରେ ଡାକ୍ତର ଡରିବେନି ତ ଆଉ କ’ଣ? ସମସ୍ତଙ୍କ ଜୀବନକୁ ଭୟ ରହିଛି । ତଥାପି ଡାକ୍ତରମାନଙ୍କ ସେବା ମନୋବୃତ୍ତିକୁ ସାଲ୍ୟୁଟ୍‌ କରିବାକୁ ହେବ।