ପୁଅ ଚାଲିଗଲା, ଘର ବି ମାଟି‌ର ମିଶିଗଲା; ପାଇଖ‌ାନାରେ ବିତୁଛି ବୃଦ୍ଧାଙ୍କ ଜୀବନ

ତେଲକୋଇ : ଦେଢ଼ବର୍ଷ ତଳେ ଅକାଳରେ ପୁଅ ଚାଲିଗଲା। ଝଡ଼ବର୍ଷାରେ ଝାଟିମାଟିର ଚାଳଛପର ଘର ଖଣ୍ଡିକ ମଧ୍ୟ ମାଟିରେ ମିଶିଗଲା। ସେବେଠାରୁ ଏକ ପାଇଖାନାରେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ସଲେଇକେନା ପଞ୍ଚାୟତ ଦାମୋଦରଗୌଣି ଗ୍ରାମର ସ୍ବର୍ଗତ ପଣ୍ଡିତ ନାଏକଙ୍କ ସ୍ତ୍ରୀ କୁମୁଡ଼ି ନାଏକ (୭୫)। ୨୦ ବର୍ଷ ତଳୁ କୁମୁଡ଼ିଙ୍କ ସ୍ବାମୀ ଆରପାରିକୁ ଗଲେଣି। ଗୋଟିଏ ବୋଲି ପୁଅ ସତ୍ୟାନନ୍ଦ ତାଙ୍କର ଶେ‌ଷ ସାହାରା ଥିଲେ। ହେଲେ ସେ ମଧ୍ୟ […]

ପୁଅ ଚାଲିଗଲା, ଘର ବି ମାଟି‌ର ମିଶିଗଲା; ପାଇଖ‌ାନାରେ ବିତୁଛି ବୃଦ୍ଧାଙ୍କ ଜୀବନ
ତେଲକୋଇ : ଦେଢ଼ବର୍ଷ ତଳେ ଅକାଳରେ ପୁଅ ଚାଲିଗଲା। ଝଡ଼ବର୍ଷାରେ ଝାଟିମାଟିର ଚାଳଛପର ଘର ଖଣ୍ଡିକ ମଧ୍ୟ ମାଟିରେ ମିଶିଗଲା। ସେବେଠାରୁ ଏକ ପାଇଖାନାରେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ସଲେଇକେନା ପଞ୍ଚାୟତ ଦାମୋଦରଗୌଣି ଗ୍ରାମର ସ୍ବର୍ଗତ ପଣ୍ଡିତ ନାଏକଙ୍କ ସ୍ତ୍ରୀ କୁମୁଡ଼ି ନାଏକ (୭୫)। ୨୦ ବର୍ଷ ତଳୁ କୁମୁଡ଼ିଙ୍କ ସ୍ବାମୀ ଆରପାରିକୁ ଗଲେଣି। ଗୋଟିଏ ବୋଲି ପୁଅ ସତ୍ୟାନନ୍ଦ ତାଙ୍କର ଶେ‌ଷ ସାହାରା ଥିଲେ। ହେଲେ ସେ ମଧ୍ୟ ଅକାଳରେ ଚାଲିଗଲେ। ପୁଅର ମୃତ୍ୟୁ ପରେ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି ବୃଦ୍ଧା କୁମୁଡ଼ି। ରାତି ପାହିଲେ ନିକଟସ୍ଥ ଜଙ୍ଗଲକୁ ଯାଇ କିଛି ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରୁଛନ୍ତି। ବେଳେ ବେଳେ ଗୋଟିଏ ସ୍ଥାନରେ ଏକୁଟିଆ ବସି ପୁଅକୁ ମନେ ପକାଇ କାନ୍ଦୁଛନ୍ତି। ତାଙ୍କର ୨ ଏକର ଜମି ଅଛି। ହେଲେ ଦେଖାଶୁଣା କରିବାକୁ କେହି ନଥିବାରୁ ତାହା ପଡ଼ିଆ ପଡ଼ିଛି। ପୁଅର ମୃତ୍ୟୁ ପରେ ଘରର ମରାମତି ହେଲାନାହିଁ। ବର୍ଷେ ତଳେ ଝଡ଼ବର୍ଷାରେ ଘର ଭାଙ୍ଗିଗଲା। ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବାରୁ ସ୍ବଚ୍ଛ ଭାରତ ଅଭିଯାନରେ ନିର୍ମିତ ପାଇଖାନାରେ ସେ ରହୁଛନ୍ତି। ସେଇଠି ରହୁଛି ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଓ ଭତ୍ତାରେ ସେ ପେଟ ପୋଷୁଛନ୍ତି। ଏନେଇ ପିଇଓ ଡମ୍ବରୁ ମନ୍ତ୍ରୀଙ୍କୁ ପଚାରିବାରୁ, ପୂର୍ବରୁ ତାଙ୍କୁ ୭୫ ହଜାର ଟଙ୍କାର ଏକ ଇନ୍ଦିରା ଆବାସ ଦିଆଯାଇଥିଲା। ପୁଅ ମରିଗଲା ପରେ ସେ ଘର ତୋଳି ପାରିନଥିବା କହିଛନ୍ତି। ସେହିପରି ଗୃହ ବଣ୍ଟନ ତାଲିକାରେ ନାମ ଥିଲେ ନିଶ୍ଚିନ୍ତ ଘର ଯୋଗାଇ ଦିଆଯିବ। ପିଇଓଙ୍କ ଦ୍ବାରା ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ତେଲକୋଇ ବିଡିଓ ଦିଲ୍ଲୀପ କୁମାର ବାଡ଼ା କହିଛନ୍ତି।