୫୫ନଂ ଜାତୀୟ ରାଜପଥ ପୁଣି ରକ୍ତ ରଞ୍ଜିତ: ଟ୍ରକ୍‌ ଧକ୍କାରେ ୩ ବାଇକ୍ ଆରୋହୀ ମୃତ: ୩ ଜଣଙ୍କ ପାଇଁ ୩୦୦ ନାକେଦମ୍‌

ଅନୁଗୁଳ: ଅଳ୍ପ କିଛି ଦିନର ବ୍ୟବଧାନ ପରେ ୫୫ ନମ୍ୱର ଜାତୀୟ ରାଜପଥ ପୁଣି ରକ୍ତ ରଞ୍ଜିତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ସମୟରେ ସଦର ଥାନା ପଞ୍ଚମହଲା ଘରୋଇ ଚୈତନ୍ୟ ଟେକ୍ନୋ ସ୍କୁଲ ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ବାଇକ୍‌‌ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତିନି ମୃତକଙ୍କ ଘର ସ୍ଥାନୀୟ ଡେରଜାଙ୍ଗ ଗ୍ରାମରେ। କୃପାସିନ୍ଧୁ ଦେହୁରୀ ଅନୁଗୁଳ ନନ୍‌ଭେଜ ମାର୍କେଟରେ ମାଛ କାଟନ୍ତି,ରାଜେନ୍ଦ୍ର ପ୍ରଧାନ ମାଛ ବେପାର କରନ୍ତି,ଏମାନଙ୍କ […]

୫୫ନଂ ଜାତୀୟ ରାଜପଥ ପୁଣି ରକ୍ତ ରଞ୍ଜିତ: ଟ୍ରକ୍‌ ଧକ୍କାରେ ୩ ବାଇକ୍ ଆରୋହୀ ମୃତ: ୩ ଜଣଙ୍କ ପାଇଁ ୩୦୦ ନାକେଦମ୍‌
ଅନୁଗୁଳ: ଅଳ୍ପ କିଛି ଦିନର ବ୍ୟବଧାନ ପରେ ୫୫ ନମ୍ୱର ଜାତୀୟ ରାଜପଥ ପୁଣି ରକ୍ତ ରଞ୍ଜିତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ସମୟରେ ସଦର ଥାନା ପଞ୍ଚମହଲା ଘରୋଇ ଚୈତନ୍ୟ ଟେକ୍ନୋ ସ୍କୁଲ ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ବାଇକ୍‌‌ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତିନି ମୃତକଙ୍କ ଘର ସ୍ଥାନୀୟ ଡେରଜାଙ୍ଗ ଗ୍ରାମରେ। କୃପାସିନ୍ଧୁ ଦେହୁରୀ ଅନୁଗୁଳ ନନ୍‌ଭେଜ ମାର୍କେଟରେ ମାଛ କାଟନ୍ତି,ରାଜେନ୍ଦ୍ର ପ୍ରଧାନ ମାଛ ବେପାର କରନ୍ତି,ଏମାନଙ୍କ ସହିତ ସମର କୋର୍ସ ପଢୁଥିବା ସୁବ୍ରତ ପ୍ରଧାନ ବାଇକ୍‌ରେ ବସିଥିଲେ। ତିନି ବାଇକ୍‌ ଆରୋହୀ ଉପରୋକ୍ତ ସ୍ଥାନରେ ପହଞ୍ଚିଲା ବେଳକୁ ସମ୍ବଲପୁର ପଟୁ ଆସୁଥିବା ଏକ ମଧ୍ୟପ୍ରଦେଶର ଟ୍ରକ୍‌ ସେମାନଙ୍କ ଉପରେ ପଛରୁ ଚଢ଼ି ଯାଇଥିଲା। ଟ୍ରକ୍‌ ଟି ବାଇକ୍‌ ସହ ତିନି ଜଣଙ୍କୁ ପ୍ରାୟ ୨୦୦ ମିଟର ଘୋଷାଡି ନେବାପରେ ରାସ୍ତାର ବାମ ପାର୍ଶ୍ଵରେ ଥିବା ଏକ ତେନ୍ତୁଳି ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ୩ ବାଇକ୍‌ ଆରୋହୀଙ୍କ ମୃତ ଦେହ ରାସ୍ତାରେ ବିଛାଡ଼ି ହୋଇପଡ଼ିଥିବାରୁ ବିଭତ୍ସ ଦୃଶ୍ୟ ସୃଷ୍ଟି କରିଥିଲା। ଖବର ପାଇ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିଲେ। ରାସ୍ତା ରୋକ ଯୋଗୁଁ ଶହ ଶହ ବସ୍ ଯାତ୍ରୀ‌ ଡହ ଡହ ଖରାରେ ନାକେ ଦମ୍‌ ହୋଇଥିଲେ। କିଛି ବସ୍‌ ଆର୍ଟିଓ ଅଫିସ ପାଖରେ ଯାତ୍ରୀଙ୍କୁ ଓଲ୍ହାଇ ଦେଇ ପଳାଇଥିଲେ। ପୋଲିସ ଗ୍ରାମବାସୀଙ୍କ ସହ କଥା ବାର୍ତ୍ତା ସହ ବୁଝାସୁଝା କରିବା ପରେ ସକାଳ ପ୍ରାୟ ୯ଟା ବେଳକୁ ରାସ୍ତା ରୋକ ହଟିଥିଲା। ଶବ ଗୁଡ଼ିକୁ ଅନୁଗୁଳ ଡାକ୍ତର ଖାନା ଅଣାଯାଇଥିଲା। ଏଣେ ଗ୍ରାମବାସୀଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିବା ପାଇଁ ଅନୁଗୁଳ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ,ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା, ବିଜେପି ନେତା ଅଗସ୍ତି ବେହେରା,ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ ଓ ଚିନ୍ମୟ ସାହୁ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଥିଲେ। ଜିଲ୍ଲା ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ସବୁଠାରୁ ଦୁର୍ଭାଗ୍ୟଜନକ ଘଟଣା ହେଲା ୫୫ ନମ୍ୱର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଥିଲେ ମଧ୍ୟ କୌଣସି ପ୍ରତିକାର ହୋଇପାରୁନାହିଁ। ନିକଟରେ ଆଇନଜୀବି ଶିବ ଶଙ୍କର ମହାନ୍ତି ରାଜ୍ୟ ମାନବ ଅଧିକାର କମିଶନରେ ରାଜ୍ୟ ସରକାର, ଏନ୍‌ଏଚ୍ଏଆଇ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଏନ୍‌ଏଚ୍‌ ସମ୍ବଲପୁରଙ୍କୁ ପକ୍ଷଭୁକ୍ତ କରି ଏକ ମାମଲା ରୁଜୁ କରିଛନ୍ତି।ଏଥିରେ ୫୫ ନମ୍ୱର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ବର୍ଣ୍ଣନା କରିବା ସହ ୨୦୨୩ରେ ରାସ୍ତା ଖରାପ ଯୋଗୁଁ ଏହି ସମୟ ମଧ୍ୟରେ ୪୦୧ ଟି ଦୁର୍ଘଟଣାରେ ୧୮୬ଜଣଙ୍କର ଜୀବନ ହାନି ଘଟିଥିବା ସେ ଦର୍ଶାଇଛନ୍ତି। ଏହି ମାମଲାରେ ରାଜ୍ୟ ପ୍ରିଂଶିପଲ ସେକ୍ରେଟାରୀଙ୍କ ସମେତ ଅନ୍ୟମାନଙ୍କୁ ବିଳମ୍ବିତ ରାଜପଥ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୨୦୧୭ରୁ ଆରମ୍ଭ ହୋଇ ହବ ହବ ବୋଲି ଆଜିଯାଏ କାମ ସରୁନି କି ଅନୁଗୁଳ ବାସୀଙ୍କ ଦୁଃଖ ଘୁଞ୍ଚୁନି। ଦୁର୍ଘଟଣା ପରେ ଡେରଜଙ୍ଗ ଗାଁରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଦୁର୍ଘଟଣାର ତଦନ୍ତ କରିବା ସହ ଟ୍ରକ୍‌ ଚାଳକ ଓ ହେଲ୍ପରକୁ ଅଟକ ରଖିଛି।