ଅନୁଗୁଳରେ ନାହାନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ !

ଅନୁଗୁଳ: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଏବେ ସମୟ ଭଲ ଚାଲୁନି। ସବୁ କାମରେ ହାତ ଚିକକଣ କରି ନିଜ ସଂପତ୍ତି ବଢ଼ାଇବାକୁ ପ୍ରାଥମିକତା ଦେଇଥିବା ଅଧିକାରୀଙ୍କୁ ନିତି ଗୋଡ଼ାଇ ଧରୁଛି ଭିଜିଲାନ୍ସ। ମୋହନ ସରକାର ଦାୟିତ୍ବ ନେଲା ପରେ ଭିଜିଲାନ୍ସ ସକ୍ରିୟ ହୋଇ ଉଠିଥିଲା ବେଳେ ବଡ଼ ବଡ଼ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ପଞ୍ଚାୟତର ପିଇଓଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍କାନରରେ ଅଛନ୍ତି। ଭିଜିଲାନ୍ସ ଚଢ଼ାଉ ଖବର ରାଜ୍ୟରୁ ନିୟମିତ ଭାବେ ଆସୁଥିଲେ ମଧ୍ୟ ଅନୁଗୁଳର କୌଣସି ବାବୁଙ୍କ […]

ଅନୁଗୁଳରେ ନାହାନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ !
ଅନୁଗୁଳ: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଏବେ ସମୟ ଭଲ ଚାଲୁନି। ସବୁ କାମରେ ହାତ ଚିକକଣ କରି ନିଜ ସଂପତ୍ତି ବଢ଼ାଇବାକୁ ପ୍ରାଥମିକତା ଦେଇଥିବା ଅଧିକାରୀଙ୍କୁ ନିତି ଗୋଡ଼ାଇ ଧରୁଛି ଭିଜିଲାନ୍ସ। ମୋହନ ସରକାର ଦାୟିତ୍ବ ନେଲା ପରେ ଭିଜିଲାନ୍ସ ସକ୍ରିୟ ହୋଇ ଉଠିଥିଲା ବେଳେ ବଡ଼ ବଡ଼ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ପଞ୍ଚାୟତର ପିଇଓଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍କାନରରେ ଅଛନ୍ତି। ଭିଜିଲାନ୍ସ ଚଢ଼ାଉ ଖବର ରାଜ୍ୟରୁ ନିୟମିତ ଭାବେ ଆସୁଥିଲେ ମଧ୍ୟ ଅନୁଗୁଳର କୌଣସି ବାବୁଙ୍କ ଉପରେ ଭିଜିଲାନ୍ସର ନଜର ପଡ଼ିନି। ଏଠାରେ କେହି ଭିଜିଲାନ୍ସ ନଜରରେ ପଡ଼ୁନଥିବାରୁ ଲୋକଙ୍କ ମନରେ ସନ୍ଦେହ ହେଲାଣି। ସତରେ କ’ଣ ଅନୁଗୁଳରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ନାହାନ୍ତି ବୋଲି ପ୍ରଶ୍ନ ବି ଉଠିଲାଣି। ଅନୁଗୁଳରେ ପୂର୍ତ୍ତବିଭାଗରୁ ଆରମ୍ଭ କରି ଜଙ୍ଗଲ ବିଭାଗ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଦପ୍ତରରେ ବେଆଇନ୍‌ କାମ ହେଉଥିବା ନେଇ ପୂର୍ବରୁ ବହୁବାର ଅଭିଯୋଗ ଆସିଛି। ପିସି ନ ଦେଲେ ବ୍ଲକ୍‌‌ ଓ ପୌରପାଳିକାରେ ଫାଇଲ ଘୁଞ୍ଚୁ ନ ଥିବା ମଧ୍ୟ ସମସ୍ତେ ଜାଣିଛନ୍ତି। ଗାଁରୁ ସହର ସବୁଠି ଦୁର୍ନୀତିର ଚେର ବହୁ ତଳକୁ ଭେଦିଗଲାଣି। ଅଧିକାଂଶ ସରକାରୀ ଦପ୍ତରରେ ଖୋଲାଖୋଲି ଦୁର୍ନୀତି ଚାଲିଛି। ଏପଟେ କିଛି ଅସାଧୁ ଅଧିକାରୀ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀ ବର୍ଷ ବର୍ଷ ଧରି ଏଠାରେ ଗାଦି ମାଡ଼ି ବସିଛନ୍ତି। କିରାଣୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ଏହି ପରମ୍ପରା ଚାଲିଥିଲେ ମଧ୍ୟ ଏମାନଙ୍କ ପାଖରେ ପହଞ୍ଚି ପାରୁନି ଭିଜିଲାନ୍ସ। ତେଣୁ ସ୍ବାଭାବିକ ଭାବେ ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଭିଜିଲାନ୍ସଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି।