ଭୁବନେଶ୍ୱର : ରାଜ୍ୟରେ କଣ ରହିଛି ବାର୍ଡ ଫ୍ଲୁ ସ୍ଥିତି। ଯାଞ୍ଚ ପାଇଁ ଆଜି କେନ୍ଦ୍ରରୁ ଏକ ଟିମ୍ ଓଡ଼ିଶା ଆସି ଫ୍ଲୁ ଅଞ୍ଚଳରେ ସମୀକ୍ଷା କରିବେ । ଏହି ବିଶେଷଜ୍ଞ ଦଳ ପୁରୀ ଜିଲ୍ଲାର ସତ୍ୟବାଦୀ, ପିପିଲି, ନିମାପଡା ଓ ଡେଲାଙ୍ଗ ବ୍ଲକରେ ସ୍ଥିତି ଯାଞ୍ଚ କରିବେ । ରାଜ୍ୟରେ ବାର୍ଡ-ଫ୍ଲୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସ୍ଥିତିରେ ସୁଧାର ଆସିଥିବାବେଳେ ନିମାପଡ଼ା ଏବଂ ଡେଲାଙ୍ଗରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି । ସଂକ୍ରମଣ ରୋକିବା ପାଇଁ ୫୧ଟି ରାପିଡ୍ ରେସପନ୍ସ ଟିମ୍ ପକ୍ଷୀମାନଙ୍କୁ ମାରିବା ଏବଂ କୁକୁଡ଼ା ଫାର୍ମଗୁଡ଼ିକର ବିଶୋଧନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ଆଜି କେନ୍ଦ୍ରୀୟ ଟିମ୍ ଆସି ସଂକ୍ରମଣ ସ୍ଥଳ ଯାଞ୍ଚ କରିବା ସହ ଏହାର ନିରାକରଣ ଦିଗରେ ଆଲୋଚନା କରିବେ ।
ତେବେ ବାର୍ଡ ଫ୍ଲୁ ନେଇ ସତର୍କ ରହିବାକୁ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା ସଂସ୍ପର୍ଶରେ ଆସୁଥିବା ଲୋକ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ପରାମର୍ଶ ଦିଆଯାଇଛି ।