ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମ ପୀଢ଼ସାହି ଯାତ୍ରା ପଡ଼ିଆସ୍ଥିତ ପ୍ରତ୍ୟକ୍ଷ ଦେବୀ ତଥା ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ସମାରୋହ ଧୁମଧାମରେ ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ପୂର୍ଣ୍ଣିମା ଦିନ ମା’ ଙ୍କର ବାର୍ଷିକ ପୂଜା ଓ ଯାତ୍ରା ହୋଇଥାଏ।
ଏ ଅବସରରେ ସକାଳୁ ମା’ ଙ୍କ ସେବକ ତଥା ଦେହୁରୀ ରଞ୍ଜନ ଗଡ଼ନାୟକ ଓ ବେଲପତରିଆ ପବିତ୍ର କୁମାର ପ୍ରଧାନ ମା’ଙ୍କ ଆଲମ ଘରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ବେଶ କରିଥିଲେ। ପୂର୍ବାହ୍ନରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଛତି, ତରାଶ, ଢୋଲ, ନିଶାଣ, ବିଭିନ୍ନ ପ୍ରକାର ବାଜା, ସମ୍ବଲପୁରୀ ନାଚ, ପାଇକ ଖେଳ, ତୋପ ବାଣ, ଡିଜେ ସାଉଣ୍ଡ, ଭକ୍ତଙ୍କ ହରିବୋଲ ଓ ହୁଳହୁଳି ସହ ଉଭୟ ତୁଳସୀପାଳ ଓ ଗଡ଼ସନ୍ତ୍ରୀ ଗ୍ରାମର ମୁଖ୍ୟରାସ୍ତା ପରିକ୍ରମା କରାଯାଇ ପୀଠସ୍ଥଳୀ ନିଆ ଯାଇଥିଲା। ବାଟରେ ମହିଳାମାନେ ନିଜ ନିଜ ଘର ସାମ୍ନାରେ ଝୋଟି ସହ ରାସ୍ତାରେ ନୂତନ ବସ୍ତ୍ର ପକାଇ ବନ୍ଦାପନା କରିଥିଲେ।
ଶୋଭାଯାତ୍ରା ପୀଠସ୍ଥଳୀରେ ପହଞ୍ଚିବା ପରେ ଦେହୁରୀ ଓ ବେଲପତରିଆ ରୀତିନୀତି ଅନୁଯାୟୀ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରିବା ପରେ ମାର୍ଜନା କରାଯାଇଥିଲା। ପରେ ଅଧିଆ ପଡ଼ିଥିବା ବହୁ ସଂଖ୍ୟକ ମହିଳା ପାଦୁକା ପାଇ ମାନସିକ ଭଙ୍ଗ କରିଥିଲେ ଓ ଶିଶୁ ମୁଣ୍ଡନ ହୋଇଥିଲେ। ନିଶାର୍ଦ୍ଧରେ ମହାଦେଶ ଆସିବା ପରେ ଗୁପ୍ତ ସନ୍ଧିପୂଜା କରାଯାଇଥିଲା।
ଯାତ୍ରା ଅବସରରେ ମେଳାସ୍ଥଳରେ ହଜାରରୁ ଅଧିକ ଦୋକାନ ପଡ଼ିଛି ଓ ଲୋକେ ମଧ୍ୟ ମନ ପସନ୍ଦର ଜିନିଷ କିଣାକିଣି କରୁଥିବା ଦେଖିବାକୁ ମିଳିଛି।
ଆସନ୍ତା ରବିବାର ଓ ସୋମବାର ଦୁଇ ରାତି ବାଦଦଣ୍ଡ ଅନୁଷ୍ଠିତ ହେବ ବୋଲି ମା’ ଲୋଭୀ ଟ୍ରଷ୍ଟିର ସଭାପତି ସୁନୀଲ ମାଝୀ ଓ ସମ୍ପାଦକ ଭଜମନ ମହାନ୍ତି ସୂଚନା ଦେଇଛନ୍ତି।