ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ମଙ୍ଗଳବାର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ବ୍ରାଉନ୍ସୁଗାର ଓ ଗଞ୍ଜେଇ ଜବତ କରାଯାଇଛି। ଏଥିସହ କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୪ ଲକ୍ଷ ଟଙ୍କା ଓ ଗଞ୍ଜେଇର ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅନୁମାନ କରୁଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ଜଣେ ବ୍ରାଉନ ସୁଗାର ବେପାରୀ ସ୍ଥାନୀୟ ଇକୋ ପାର୍କ ଠାରେ ଏକ ପଲସର ବାଇକରେ ଗ୍ରାହକ ଅପେକ୍ଷାରେ ଥିବା ନେଇ ଖବର ପାଇ ଅନୁଗୁଳ ଅବକାରୀ ଅଧିକାରୀ ମାନେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ୪ ଲକ୍ଷ ୨୦ ହଜାର ଟଙ୍କା ହେବ। ଏଥିସହ ଏକ ପଲସର ବାଇକକୁ ଜବତ କରିବା ସହ ବେପାରୀ ପ୍ରଦୀପ ବେହେରା (୨୭)କୁ ଗିରଫ କରିଥିଲେ ପୋଲିସ।
ସେହିପରି ସ୍ଥାନୀୟ ହେମସୁରପଡାରେ ଚଢ଼ଉ କରି ୩୦ହଜାର ଟଙ୍କାର ୩ କେଜି ଚୋରା ଗଂଜେଇ ଜବତ କରିବା ସହ ନରେନ୍ଦ୍ର ସ୍ୱାଇଁ (୬୫)କୁ ଗିରଫ କରିଛି। ଉଭୟ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।