ସଂଘର୍ଷର ଅନ୍ୟ ନାମ ସାଗରିକା; ହାତ, ଗୋଡ଼ ନ ଥାଇ ବି ସଫଳ ନୃତ୍ୟଶିଳ୍ପୀ |
ସଂଘର୍ଷର ଅନ୍ୟ ନାମ ସାଗରିକା; ହାତ, ଗୋଡ଼ ନ ଥାଇ ବି ସଫଳ ନୃତ୍ୟଶିଳ୍ପୀ |
ସାଗରିକା ତାଙ୍କ ଡାହାଣ ଗୋଡ଼ ଓ ହାତ ହରାଇଥିବାବେଳେ ତାଙ୍କ ବାପା ମଧ୍ୟ ଗୋଟିଏ ଗୋଡ଼ ହରାଇଥିଲେ। ସେହିଦିନଠାରୁ ସାଗରିକାଙ୍କ ସବୁ ସ୍ୱପ୍ନ ମାଟିରେ ମିଶି ଯାଇଥିଲା। ହାତ, ଗୋଡ଼ ନ ଥାଇ ସ୍କୁଲ ଯାଇ ପିଲାମାନଙ୍କ ମଧ୍ୟରେ ବସି ପାଠପଢ଼଼ିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଥିବାବେଳେ ପରିବାରର ଏକମାତ୍ର ରୋଜଗାର କରୁଥିବା ବାପା ବି ବିଛଣାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏଭଳି ପରିସ୍ଥିତିରେ ପରିବାରର ଦାୟିତ୍ୱ ନେବାକୁ ସ୍ଥିର କଲେ ସାଗରିକା। ନିଜର ଅକ୍ଷମତାକୁ ପଛରେ ପକାଇ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରିଥିଲେ। ପାଠପଢ଼଼ା ସାଙ୍ଗକୁ ନୃତ୍ୟ ଓ ମଡେଲିଂ କ୍ଷେତ୍ରରେ ମଧ୍ୟ ସେ ବେଶ୍ ପାରଙ୍ଗମ।ଗୋଡ଼, ହାତ ନ ଥାଇ ଜଣେ କିଭଳି ନୃତ୍ୟ ଓ ମଡେଲିଂ କରିବା ସମ୍ଭବ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ, କିନ୍ତୁ ବାସ୍ତବରେ ତାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି। ସ୍କୁଲ ସମୟରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର କଳା ପ୍ରଦର୍ଶନ କରି ଅନେକ ପୁରସ୍କାର ଗ୍ରହଣ କରିଛନ୍ତି ସାଗରିକା। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କର ନୃତ୍ୟ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା। ବର୍ତ୍ତମାନ ସେ ରାଉରକେଲା ଏସ୍ବି (ସୁଶୀଳାବତୀ କଲେଜ)ରେ ଏଜୁକେଶନ୍ରେ ପିଜି କରୁଛନ୍ତି। ପିଜି ପରେ ବିଏଡ୍ କରିବା ସହ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ସାଗରିକା। କୌଣସି କ୍ଷେତ୍ରରେ ସଫଳତା ପାଇବାକୁ ହେଲେ କେବଳ ସୁସ୍ଥ ଶରୀରର ଆବଶ୍ୟକତା ନୁହେଁ ବରଂ ସୁସ୍ଥ ମାନସିକ ନିହାତି ଜରୁରୀ। କାରଣ ଭଗବାନ କିଛି ଛଡ଼ାଇ ନେଲେ ମଧ୍ୟ ବଦଳରେ ଅଧିକ କିଛି ଦେଇଥା’ନ୍ତି। ତେଣୁ ଦିବ୍ୟାଙ୍ଗମାନେ ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ନିଜର ଇଚ୍ଛାଶକ୍ତି ବଳରେ ସଫଳତାର ଶିଖର ଛୁଇଁପାରିବେ। ଏଥିପାଇଁ ଏକାଗ୍ରତା ଓ ପରିଶ୍ରମ ଆବଶ୍ୟକ ବୋଲି ସାଗରିକା କହିଛନ୍ତି।