ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୧ବର୍ଷ ହେଲା ହୋଇନି ସମାବର୍ତ୍ତନ ** ଉତ୍ସବ : ସାର୍ଟିଫିକେଟ୍‌‌ ପାଇନାହାନ୍ତି ୫ହଜାର ଛାତ୍ରଛାତ୍ରୀ |

ଦୀର୍ଘ ୧୧ ବର୍ଷ ହେଲା ହୋଇନି କନ୍‌‌ଭୋକେସନ୍‌; ଛାତ୍ରଛାତ୍ରୀଙ୍କୁ ମିଳିପାରୁନି ସାର୍ଟିଫିକେଟ୍‌। ଏଥିପାଇଁ ବିଭିନ୍ନ ସ୍ଥାନରେ ଅପଦସ୍ତ ହେବାକୁ ପଡ଼ୁଛି। ଅତ୍ୟାବଶ୍ୟକ ସ୍ଥାନରେ ଅଣ୍ଡରଟେକିଂ ବଞ୍ଚାଇ ଦେଉଛି। ସ୍ଥିତି ଏମିତି ଯେ ସାର୍ଟିଫିକେଟ୍‌ ଉପସ୍ଥାପନ କରି ନ ପାରିବାରୁ ଘରୋଇ ସଂସ୍ଥା‌ ବି ଚାକିରି ଦେବାକୁ କୁନ୍ଥକୁନ୍ଥ ହେଉଛନ୍ତି। କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା ଏପରି ଅବ୍ୟବସ୍ଥାକୁ ନେଇ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ତେଣୁ ଏହାକୁ ନେଇ ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ସୂଚନାନୁଯାୟୀ, ଶେଷଥର ପାଇଁ ୨୦୧୩ ମସିହାରେ କନ୍‌‌ଭୋକେସନ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ଏଯାବତ୍‌‌ ପ୍ରାୟ ୫ ହଜାର ୫ଶହରୁ ଅଧିକ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇସାରିଲେଣି। କିନ୍ତୁ କାହାରିକୁ ସାର୍ଟିଫିକେଟ୍‌ ମିଳିନି। ଫଳରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରୋଭିଜିନାଲ ମାର୍କସିଟ୍‌‌ ସବୁଠି ଗ୍ରହଣୀୟ ହେଉନାହିଁ। ଫଳରେ ଅରିଜିନାଲ ସାର୍ଟିଫିକେଟ୍‌ ଦେଇନପାରି ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ସ୍ଥାନରେ ଅଣ୍ଡରଟେକିଂ ଲେଖି ଦେବାକୁ ବାଧ୍ୟ ହେଉଛନ୍ତି। କିଛି ଦିନ ମଧ୍ୟରେ ଅରିଜିନାଲ ସାର୍ଟିଫିକେଟ୍‌‌ ଦେବେ ବୋଲି ଅଣ୍ଡରଟେକିଂ ଲେଖୁଛନ୍ତି। କିନ୍ତୁ ଏପଟେ ବିଶ୍ବବିଦ୍ୟାଳୟ ସେମାନଙ୍କୁ ଭଣ୍ଡେଇ ଚାଲିଛି। ସାର୍ଟିଫିକେଟ୍‌‌ ମାଗିଲେ କନ୍‌‌ଭୋକେସନ ସମୟରେ ହିଁ ପ୍ରଦାନ କରାଯିବ ବୋଲି କର୍ତ୍ତୃପକ୍ଷ ଆଶ୍ବାସନା ଦେଉଛନ୍ତି। କିନ୍ତୁ କେବେ ସେ କନ୍‌‌ଭୋକେସନ୍‌ ହେବ ଓ ସାର୍ଟିଫିକେଟ୍‌ ମିଳିବ, ତାହାକୁ ଅନେଇ ଅନେଇ ଛାତ୍ରଛାତ୍ରୀ ଜଳକା ହୋଇଗଲେଣି।ଆଦିବାସୀ ଅଧ୍ୟୁଷିତ କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଥିବାରୁ ଜାଣିଶୁଣି ସରକାର ଏଥିପ୍ରତି ଅଣଦେଖା କରୁଥିବା ପୁରାତନ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଜଣେ ଛାତ୍ରୀଙ୍କ କହିବା କଥା, ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ସହ ଅନ୍ୟ କେନ୍ଦ୍ରୀୟ ବିଶ୍ୱବିଦୟାଳୟଗୁଡ଼ିକରେ ପ୍ରତିବର୍ଷ କନଭୋକେସନ୍‌ ହେଉଛି। ପାସ୍‌‌ କରିବା ପରେପରେ ସେମାନଙ୍କୁ ସାର୍ଟିଫିକେଟ୍‌‌ ମିଳୁଛି। କିନ୍ତୁ ଉପାନ୍ତ ଅଞ୍ଚଳରେ ଏହି ବିଶ୍ୱବିଦ୍ୟାଳୟ ଥିବାରୁ ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଦୀର୍ଘ ବର୍ଷ ଧରି ପ୍ରତାରଣା କରି ଆସୁଛନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ତେବେ ଏହି ଅବ୍ୟବସ୍ଥାକୁ ନେଇ ଦାନା ବାନ୍ଧୁଥିବା ପୁଞ୍ଜିଭୂତ ଅସନ୍ତୋଷ ବିସ୍ଫୋରକ ରୂପ ନେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିବା ପାଇଁ ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ନେବାକୁ ଆଲୁମିନି, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଏ ସଂପର୍କରେ ମତାମତ ପାଇଁ କୁଳପତିଙ୍କ ସହ ଯୋଗାଯୋଗ ହୋଇପାରିନଥିବା ବେଳେ ଅନ୍ୟ ଜଣେ ଅଧିକାରୀଙ୍କ କହିବା କଥା, ରାଷ୍ଟ୍ରପତିଙ୍କୁ କନଭୋକେସନ୍‌ କରିବାକୁ ଅନୁମତି ମଗାଯାଇଛି। ଅନୁମତି ସହ ଉପସ୍ଥିତି ପାଇଁ ସମ୍ମତିପତ୍ର ପ୍ରଦାନ ପରେ କନଭୋକେସନ ଅନୁଷ୍ଠିତ ହେବ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୧ବର୍ଷ ହେଲା ହୋଇନି ସମାବର୍ତ୍ତନ ** ଉତ୍ସବ : ସାର୍ଟିଫିକେଟ୍‌‌ ପାଇନାହାନ୍ତି ୫ହଜାର ଛାତ୍ରଛାତ୍ରୀ |