ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନି ଜିଲ୍ଲା ପ୍ରଶାସନ, ଏବେ ବି ଅନୁଗୁଳ ପ୍ରେସକ୍ଲବକୁ ରଖିଛି ନିଜ କବଜାରେ

ଅନୁଗୁଳ: ଜିଲ୍ଲା ପ୍ରଶାସନର କବଜାରେ ଅନୁଗୁଳ ପ୍ରେସକ୍ଲବ। ତାହାକୁ ଖାଲି କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ଅନୁଗୁଳ ଜିଲ୍ଲା ପ୍ରଶାସନ ଅବମାନନା କରିଛି। ଏହି ଘଟଣାକୁ ନେଇ ପ୍ରେସ କ୍ଲବ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି କହିଛି। ସୂଚନା ମୁତାବକ, ଅନୁଗୁଳର ପୂର୍ବତନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ପ୍ରେସକ୍ଲବକୁ ଜିଲ୍ଲା ପ୍ରଶାସନ ୨୦୨୩ ଜୁନ ମାସରେ ବିନା ନୋଟିସରେ ସିଲ କରିଥିଲା। ପର ମୁହୂର୍ତ୍ତରେ ପ୍ରେସ […]

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନି ଜିଲ୍ଲା ପ୍ରଶାସନ, ଏବେ ବି ଅନୁଗୁଳ ପ୍ରେସକ୍ଲବକୁ ରଖିଛି ନିଜ କବଜାରେ
ଅନୁଗୁଳ: ଜିଲ୍ଲା ପ୍ରଶାସନର କବଜାରେ ଅନୁଗୁଳ ପ୍ରେସକ୍ଲବ। ତାହାକୁ ଖାଲି କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ଅନୁଗୁଳ ଜିଲ୍ଲା ପ୍ରଶାସନ ଅବମାନନା କରିଛି। ଏହି ଘଟଣାକୁ ନେଇ ପ୍ରେସ କ୍ଲବ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି କହିଛି। ସୂଚନା ମୁତାବକ, ଅନୁଗୁଳର ପୂର୍ବତନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ପ୍ରେସକ୍ଲବକୁ ଜିଲ୍ଲା ପ୍ରଶାସନ ୨୦୨୩ ଜୁନ ମାସରେ ବିନା ନୋଟିସରେ ସିଲ କରିଥିଲା। ପର ମୁହୂର୍ତ୍ତରେ ପ୍ରେସ କ୍ଲବକୁ ଅନୁଗୁଳ ସଦର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କରିଦିଆ ଯାଇଥିଲା। ଅନୁଗୁଳ ପ୍ରେସକ୍ଲବର ସାଧାରଣ ସମ୍ପାଦକ ରିଆଜୁଦିନ ଅହମ୍ମଦଙ୍କ କହିବା ଅନୁସାରେ, ଜୁନ ୨୦୧୭ ମସିହାରେ ଅନୁଗୁଳ ପ୍ରେସକ୍ଲବ ଉଦଘାଟିତ ହୋଇଥିଲା। କିନ୍ତୁ ୨୦୨୩ରେ ବେଆଇନ ସିଲ ହୋଇଥିଲା। ଏହା ବିରୋଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲୁ। ସେତେବେଳେ କୋର୍ଟ ସାମ୍ବାଦିକଙ୍କୁ ପ୍ରେସକ୍ଲବର ଚାବି ହସ୍ତାନର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ଯାଏଁ ଆମକୁ ଚାବି ମିଳିପାରିନାହିଁ। ଏହାଦ୍ୱାରା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଅବମାନନା ହୋଇଛି। ପର ମୁହୂର୍ତ୍ତରେ ପ୍ରେସ କ୍ଲବ ସାଧାରଣ ସମ୍ପାଦକ ରିଆଜୁଦିନ ଅହମଦ ଉପ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘଟଣା ସମ୍ପର୍କିତ ଏକ ଚିଠି କରିଥିଲେ। ଏହା ପରେ ରାଜସ୍ବ ବିଭାଗର ଅନୁଶାସନ ସଚିବ ୨୦୨୪ ଅଗଷ୍ଟ ୨୭ ତାରିଖ ଦିନ ଅନୁଗୁଳ ଜିଲ୍ଲାପାଳଙ୍କୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶନାମା ସହିତ ଏକ ଚିଠି ନମ୍ବର ( ୨୮୭୫୮) କରିଛନ୍ତି। ଚିଠିରେ ପ୍ରେସ କ୍ଲବ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରି ବିଭାଗକୁ ଉତ୍ତର ଦେବାକୁ କହିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରେସ କ୍ଲବ ଜିଲ୍ଲା ପ୍ରଶାସନ ଅକ୍ତିଆରରେ ଅଛି। ଅନୁଗୁଳ ରାଜସ୍ବ ନିରୀକ୍ଷକ ଆଶିଷ କୁମାର ମହାପାତ୍ରଙ୍କ କହିବା ଅନୁଯାଇ ଏହି ସଂକ୍ରାନ୍ତରେ ଚିଠି କରିଛୁ । ରାଜ୍ୟ ସରକାରଙ୍କୁ ଦେଇଥିବା ଚିଠି କେବେ ଦେଇଛନ୍ତି କିମ୍ବା ଚିଠି ଦେଖାଇବାକୁ ପ୍ରଶ୍ନ କରିବାରୁ ଚିଠିର କପି ନଥିଲା ରାଜସ୍ୱ ନିରୀକ୍ଷକଙ୍କ ପାଖରେ। ପ୍ରେସକ୍ଲବର ପୂର୍ବତନ ସାଧାରଣ ସମ୍ପାଦକ ରୋହିତ କୁମାର ବେହେରାଙ୍କ କହିବା ଅନୁଯାୟୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅନୁଗୁଳ ଜିଲ୍ଲା ପ୍ରଶାସନ ଏବଂ ଅନୁଗୁଳ ରାଜସ୍ବ ନିରୀକ୍ଷକ ଅବମାନନା କରୁଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଜିଲ୍ଲା ପ୍ରଶାସନ ବିରୋଧରେ ପ୍ରେସ କ୍ଲବ ପୁଣି ଥରେ ହାଇକୋର୍ଟ ଯିବ ବୋଲି କହିଛନ୍ତି।