ଏଣିକି ସାତକୋଶିଆ ଜଙ୍ଗଲ ଜଗିବ ଏଆଇ କ୍ୟାମେରା, ଶିକାରୀ ପଶିବା ମାତ୍ରେ ବାଜିବ ସତର୍କ ଘଣ୍ଟି

ଅନୁଗୁଳ: ଏଣିକି ଜଙ୍ଗଲ ଜଗିବ ଏ.ଆଇ କ୍ୟାମେରା। ସାତକୋଶିଆ, ଅନୁଗୁଳ ଓ ଢେଙ୍କାନାଳ ବନଖଣ୍ଡରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା। ଏଥିପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ଦ୍ୱାରା ଜଙ୍ଗଲରେ ହେଉଥିବା ପ୍ରତିଟି ଗତିବିଧି ଉପରେ ଜିଲ୍ଲା ମୁଖ୍ୟାଳୟରେ ଥାଇ ଅଧିକାରୀମାନେ ନଜର ରଖି ପାରିବ। ସାତକୋଶିଆ ତଥା ଏହାକୁ ଲାଗି ରହିଥିବା ଜଙ୍ଗଲ ଗୁଡିକରେ ବଢୁଥିବା ଅପରାଧିକ ଗତିବିଧି ଉପରେ ଏହା ରୋକ ଲଗାଇବାରେ ସହାୟକ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ […]

ଏଣିକି ସାତକୋଶିଆ ଜଙ୍ଗଲ ଜଗିବ ଏଆଇ କ୍ୟାମେରା, ଶିକାରୀ ପଶିବା ମାତ୍ରେ ବାଜିବ ସତର୍କ ଘଣ୍ଟି
ଅନୁଗୁଳ: ଏଣିକି ଜଙ୍ଗଲ ଜଗିବ ଏ.ଆଇ କ୍ୟାମେରା। ସାତକୋଶିଆ, ଅନୁଗୁଳ ଓ ଢେଙ୍କାନାଳ ବନଖଣ୍ଡରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା। ଏଥିପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ଦ୍ୱାରା ଜଙ୍ଗଲରେ ହେଉଥିବା ପ୍ରତିଟି ଗତିବିଧି ଉପରେ ଜିଲ୍ଲା ମୁଖ୍ୟାଳୟରେ ଥାଇ ଅଧିକାରୀମାନେ ନଜର ରଖି ପାରିବ। ସାତକୋଶିଆ ତଥା ଏହାକୁ ଲାଗି ରହିଥିବା ଜଙ୍ଗଲ ଗୁଡିକରେ ବଢୁଥିବା ଅପରାଧିକ ଗତିବିଧି ଉପରେ ଏହା ରୋକ ଲଗାଇବାରେ ସହାୟକ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ କାଠ ମାଫିଆଙ୍କ ସହ ଶିକାରୀଙ୍କ କବଳରୁ ସାତକୋଶିଆ ଅଭୟାରଣ୍ୟକୁ ସୁରକ୍ଷା ପ୍ରଦାନ କରିବାକୁ ବନ ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। କ୍ୟାମେରା ଟ୍ରାପ ଠାରୁ ଆରମ୍ଭ କରି ପାଦଚଲା ପାଟ୍ରୋଲିଂ ଆଦି ବ୍ୟବସ୍ଥା ମଧ୍ୟରେ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ରହିଥିଲା। କିନ୍ତୁ କ୍ୟାମେରା ଟ୍ରାପ ପ୍ରତି ୩ ମାସ ୪ ମାସରେ ଖୋଲାଯାଉଥିବା ବେଳେ ଏହାକୁ ଗୋଟିଗୋଟି କରି ତନଖି କରିବା ବେଳେ ବହୁ ସମୟ ଲାଗିଥାଏ। ଆଗାମୀ ଦିନରେ ସାତକୋଶିଆ ବନଖଣ୍ଡକୁ ବାଘ ବଂଶ ବୃଦ୍ଧି କରିବା ଲାଗି ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ମାଧ୍ୟମରେ ମହାବଳ ବାଘ ଆସିବାର ଯୋଜନା ରହିଛି। ଏଣୁ ଏବେ ଅଭୟାରଣ୍ୟର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହା ମାଧ୍ୟମରେ ମୁଖ୍ୟାଳୟରେ ରହି ମଧ୍ୟ ଅଧିକାରୀ ପୂରା ଜଙ୍ଗଲ ଦେଖି ପାରିବେ। କେବଳ ଗୋଟିଏ ଦିଗ ନୁହେଁ, ବରଂ ଏହି କ୍ୟାମେରା ୩୬୦ ଡିଗ୍ରୀରେ ନିଜର ଚାରିପାଖ ବୁଲି ଭିଡିଓ ଉତ୍ତୋଳନ କରିପାରିବ। ଆଉ ଶିକାରୀ ପଶିବା ମାତ୍ରେ ସତର୍କ ଘଣ୍ଟି ବା ଆଲାର୍ମ ବାଜିବ। ସାତକୋଶିଆ ବନଖଣ୍ଡରେ ୩, ମହାନଦୀ ବନଖଣ୍ଡରେ ୧, ଅନୁଗୁଳ ୧ ଓ ଢେଙ୍କାନାଳ ବନଖଣ୍ଡରେ ୧ କ୍ୟାମେରା ଟାୱାର ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଖୁବ ଶୀଘ୍ର ସାତକୋଶିଆ ଓ ଏହାର ସୀମାନ୍ତରେ ଥିବା ଜଙ୍ଗଲ ଗୁଡିକରେ ଏହି ଏଆଇ କ୍ୟାମେରା ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବ ବୋଲି ସାତକୋଶିଆ ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି।