କୁଆଡ଼େ ଗଲେ ନାରୀନେତ୍ରୀ

ଅନୁଗୁଳ: ନିର୍ବାଚନ ଆଗରୁ ବିଜେଡି ସ୍ଥିତି ଖରାପ ହେଉଥିବା ଦେଖି ଅନୁଗୁଳରେ ଏକ ନୂଆ ଚାଲ ଖେଳିଥିଲା। ବିଧାୟକ ରଜନୀକାନ୍ତ ସିଂହଙ୍କ ଟିକେଟ କାଟି ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ବିଜେଡି ଅନୁଗୁଳ ବିଧାନସଭା ପାଇଁ ପ୍ରାର୍ଥୀ କରିଥିଲା। ଭାବିଥିଲା, ମହିଳା କାର୍ଡରେ ନିର୍ବାଚନୀ ବୈତରଣୀ ପାର୍‌ କରି ହେଇଯିବ। ହେଲେ ଦଳର ଏହି ଫନ୍ଦି କାଟୁ କଲାନି। ଶୋଚନୀୟ ଭାବେ ହାରିଗଲେ ସଂଯୁକ୍ତା ସିଂହ। ଆଉ ଏହା ପରଠାରୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଦେଖା […]

କୁଆଡ଼େ ଗଲେ ନାରୀନେତ୍ରୀ
ଅନୁଗୁଳ: ନିର୍ବାଚନ ଆଗରୁ ବିଜେଡି ସ୍ଥିତି ଖରାପ ହେଉଥିବା ଦେଖି ଅନୁଗୁଳରେ ଏକ ନୂଆ ଚାଲ ଖେଳିଥିଲା। ବିଧାୟକ ରଜନୀକାନ୍ତ ସିଂହଙ୍କ ଟିକେଟ କାଟି ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ବିଜେଡି ଅନୁଗୁଳ ବିଧାନସଭା ପାଇଁ ପ୍ରାର୍ଥୀ କରିଥିଲା। ଭାବିଥିଲା, ମହିଳା କାର୍ଡରେ ନିର୍ବାଚନୀ ବୈତରଣୀ ପାର୍‌ କରି ହେଇଯିବ। ହେଲେ ଦଳର ଏହି ଫନ୍ଦି କାଟୁ କଲାନି। ଶୋଚନୀୟ ଭାବେ ହାରିଗଲେ ସଂଯୁକ୍ତା ସିଂହ। ଆଉ ଏହା ପରଠାରୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଦେଖା ଦର୍ଶନ ନାହିଁ। ବିଜେଡି ରାଜନୀତିରେ ଆଗରୁ ବି ସକ୍ରିୟ ନ ଥିଲେ ସଂଯୁକ୍ତା। କେବଳ ମହିଳା ଭୋଟରଙ୍କୁ ଟାଣିବା ପାଇଁ ହଠାତ୍‌ ତାଙ୍କୁ ଘରୁ ଡାକି ଆଣି ଟିକେଟ ଦେଇଥିଲା ବିଜେଡି। ଏହା ପରେ ବିଜେଡି କର୍ମୀମାନେ ବେଶ୍‌ ଉତ୍ସାହିତ ହୋଇ ପଡ଼ିଥିଲେ। କିଏ ଭ‌ାଉଜ ତ କିଏ ମାଡାମ୍‌ କହି ତାଙ୍କ ପାଖ ଲୋକ ହେବାକୁ ଚେଷ୍ଟା କରିଥିଲେ। ଭାବିଥିଲେ, ମାଡାମ୍‌ ଜିତିଲେ ସେମାନଙ୍କର କାମ ହେଇଯିବ। ହାରିଲେ ବି ମାଡାମ୍‌ଙ୍କ ନେତୃତ୍ବରେ ଦଳ ଚାଲିବ। ହେଲେ ସଂଯୁକ୍ତା ସିଂହ ହାରିଯିବା ପରେ ରାଜନୀତିରୁ ସେ ଏକ ପ୍ରକାର ସନ୍ୟାସ ନେଇଗଲା ପରି ଲାଗୁଛି। ଏ ଭିତରେ ବିଜେଡିର ଦୁଇ ଦୁଇଟି ଉଚ୍ଚସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ଏଥିରେ ତାଙ୍କର ଦେଖା ନାହିଁ। ଶଙ୍ଖ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳର ନେତାମାନଙ୍କୁ ଡାକି ପରାଜୟର ସମୀକ୍ଷା କରିଥିଲା ବେଳେ ଏହି ବୈଠକକୁ ସେ ଯାଇ ନଥିଲେ। ଗତକାଲି ଅନୁଗୁଳ ସଭାଘରେ ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ପାଇଁ ବୈଠକ ହୋଇଥିଲେ ମଧ୍ୟ ଏଥିରେ ସଂଯୁକ୍ତାଙ୍କ ଦେଖା ନ ଥିଲା। ଉଭୟ ବୈଠକରେ ବ୍ଲକ୍‌ ସ୍ତରୀୟ ନେତା ଯୋଗ ଦେଇଥିଲେ ମଧ୍ୟ ସଂଯୁକ୍ତା ନ ଆସିବା ତାଙ୍କ ସମର୍ଥକଙ୍କୁ ନିରାଶ କରିଛି। ଏପଟେ ଦଳୀୟ ନେତାମାନେ ଏହାକୁ ନେଇ ନାନା କଥା ଚର୍ଚ୍ଚା କରୁଛନ୍ତି। ଭୋଟର ବି ପଚାରିବା ଆରମ୍ଭ କଲେଣି ଯେ, ନାରୀନେତ୍ରୀ କୁଆଡ଼େ ଗଲେ ? ନିର୍ବାଚନ ହାରିବା ପରେ ଯିଏ ଲୋକଙ୍କ ପାଖରୁ ଦୂରେଇ ଗଲେଣି, ଜିତିଥିଲେ ଅବସ୍ଥା କ’ଣ ହୋଇଥାନ୍ତା ?