ଜାଲିଆତିର ଭଣ୍ଡାର ଡି ଆଇ ଇ ଟି ଗଞ୍ଜାମ ପ୍ରିନ୍ସିପାଲ ସନ୍ତୋଷ ପରିଡ଼ା
ଅନୁଷ୍ଠାନର ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା ଡି ଆଇ ଇ ଟି ଗଞ୍ଜାମ ପ୍ରିନ୍ସିପାଲ ସନ୍ତୋଷ ପରିଡ଼ା ଜାଲିଆତି ପ୍ରମାଣପତ୍ର ଦେଇ ଚାକିରୀ କରିବା, ଚାକିରି କାଳରେ ରେଗୁଲାର କଲେଜରେ ପାଠ ପଢିବା ଓ ଏକା ସମୟରେ ଦୁଇ ଦୁଇଟି ନିୟମିତ କୋର୍ସ କରିବା ଆଦି ସଙ୍ଗୀନ ଅଭିଯୋଗ ହୋଇଅଛି ।
ନୟାଗଡ଼ରୁ ଅକ୍ଷୟ କୁମାର ମହାନ୍ତିଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ଏବଂ ସଂଲଗ୍ନ ଦସ୍ତାବେଜ ଅନୁଯାୟୀ ସନ୍ତୋଷ ପରିଡ଼ା ୧୯୯୯ରୁ ୨୦୦୨ ମଧ୍ୟରେ ଏକା ସଙ୍ଗେ ଶିକ୍ଷକ ତାଲିମ ଓ ଯୁକ୍ତ ତିନି କରିଛନ୍ତି ତାହା ପୁଣି ରାଜଧାନୀର ପ୍ରତିଷ୍ଠିତ ବିଜେବି କଲେଜରୁ ସରକାରଙ୍କ ନାକ ତଳେ । ଏ ପର୍ଯ୍ୟନ୍ତ ଚାକିରି କାଳରେ ରେଗୁଲାର ଭାବେ ସ୍ନାତକୋତ୍ତର ଏବଂ ଏମ ଫିଲ କରିଛନ୍ତି ତାହା ପୁଣି ପ୍ରତିଷ୍ଠିତ ରେଭେନ୍ସା ଓ ଉତ୍କଳ ଭଳି ବିଶ୍ଵବିଦ୍ୟାଳୟରୁ ଆଇନକୁ ଆଖି ଦେଖେଇ ।
ପ୍ରମାଣପତ୍ରରୁ ଜଣାପଡ଼ିଛି ଉଇ ଖାଇଗଲା ଭଳି ବାହାନା କରି ମିଛ ପ୍ରମାଣପତ୍ର ଲଗେଇ ସବୁ କାମ ସେ କରି ଚାଲିଛନ୍ତି । ଏହି ସମ୍ବନ୍ଧରେ ସୂଚନା ନିୟମ ଅନୁସାରେ ବିଶ୍ଵବିଦ୍ୟାଳୟ ଓ ବୋର୍ଡ ଅଫ ସେକେଣ୍ଡାରୀ ମଧ୍ୟ ପ୍ରମାଣ ଦେଇସାରିଛନ୍ତି । ଏହି ସମ୍ବନ୍ଧରେ ଏସ ସି ଇ ଆର ଟି ଭୁବନେଶ୍ୱର କର୍ତ୍ତୃପକ୍ଷ ବିଧିବତ୍ତ ଅଭିଯୋଗ ପାଇ ଓ କୋର୍ଟ ଆଦେଶକୁ ବେଖାତିର କରି ଦୀର୍ଘ ବର୍ଷ ହେଲା ଦବେଇ ସନ୍ତୋଷ ପରିଡାଙ୍କୁ ବେନିୟମରେ ଉନ୍ନତି କରି ଅଧ୍ୟକ୍ଷ ଭାବେ ଚାକିରି ଦେଇଛନ୍ତି ।
ଖୁଲମଖୁଲା ଏହି ପ୍ରକାର ନିୟମ ଭଙ୍ଗ, ଜାଲିଆତି , ଆଦେଶକୁ ଅବମାନନା କରିଥିବା ବ୍ୟକ୍ତିକୁ କାହିଁକି ଏଯାଏଁ ଘଣ୍ଟ ଘୋଡେ଼ଇ ରଖିବା, କାହାର ପ୍ରରୋଚନାରେ ଏପରି ହେବା ଏବଂ ଦଣ୍ଡ ପାଇବା ଯୋଗ୍ୟ ବ୍ୟକ୍ତିକୁ ଯଦି ଶିକ୍ଷାଦାନ ଭଳି ଏକ ପବିତ୍ର ଅନୁଷ୍ଠାନର ଅଧ୍ୟକ୍ଷ ହେବେ, ତେବେ ପିଲାଙ୍କ ଭବିଷ୍ୟତ କେତେ ଅନ୍ଧକାର ତାହା ସର୍ବ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଏହି ସବୁର ଅଭିଯୋଗ ନେଇ ଦୁର୍ନୀତି ନିବାରଣ ବିଭାଗ ଭୁବନେଶ୍ବର ଏସ ସି ଇ ଆର ଟି ଭୁବନେଶ୍ୱର କର୍ତ୍ତୃପକ୍ଷଙ୍କୁ ପ୍ରତିକାର ନେବା ପାଇଁ ଚିଠି ନଂ ୧୦୧ ତା ୨୪/୧/୨୦୨୪ ଆଦେଶ ଦେଇଥିଲେ ବି ଦଣ୍ଡ ବିଧାନ ବଦଳରେ ତାଙ୍କୁ ଉନ୍ନତି କରିବାର କାମ ଏବେ ବଡ ପ୍ରଶ୍ନବାଚୀ । ପ୍ରତିକ୍ରିୟାରେ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ ।