ବୀରମହାରାଜପୁର ଉପଖଣ୍ଡିୟ ବିଦ୍ୟୁତ ଅଧିକାରୀଙ୍କ ବିରୁଦ୍ଧରେ ସଙ୍ଗିନ୍ ଅଭିଯୋଗ ଆଣିଲେ ସଭାପତି ଲେଖରାଜ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ବୀରମହାରାଜପୁର ବିଦ୍ୟୁତ ବିଭାଗ ବିରୁଦ୍ଧରେ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲେଖରାଜ ସାଗର। କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେଉଛି ଜିଲ୍ଲା, ରାଜ୍ୟ ତଥା କେନ୍ଦ୍ରରେ ସୁନାମ ଅର୍ଜନ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏକ ବିଦ୍ୟାଳୟ। କୈରାଝୁଲି ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହାସଲ କରିବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ଯୋଜନା ଏବଂ ଗୋଦାବରୀଶ ମିଶ୍ର ଯୋଜନା ପାଇଁ ମନୋନୀତ ହୋଇଥିବା ଏକ ସ୍ୱତନ୍ତ୍ର ବିଦ୍ୟାଳୟ। ବିଶ୍ୱ ବନ ଦିବସ ୨୦୨୫ ଅବସରରେ ସର୍ବୋତ୍ତମ ତଥା ସ୍ୱାସ୍ଥ୍ୟକର ପରିବେଶ ପାଇଁ ଜିଲ୍ଲା ବନ ବିଭାଗ ତରଫରୁ ଶ୍ରେଷ୍ଠ ପୁରସ୍କାର ମଧ୍ୟ ପ୍ରାପ୍ତ କରିସାରିଛି। ବଡ଼ ଦୁଃଖର ବିଷୟ ଉପଖଣ୍ଡିୟ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଦାୟିତ୍ୱହୀନ କାର୍ଯ୍ୟ ପାଇଁ ବିଦ୍ୟାଳୟର ୧୭୫ଜଣ କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ ବର୍ତ୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ। ବିଦ୍ୟାଳୟ ପାଚେରୀ ଦେଇ ଅନାବଶ୍ୟକ ଭାବରେ ୧୧କେଭି ବିଦ୍ୟୁତ ପ୍ରବାହିତ ହେଉଅଛି। ଯାହାଫଳରେ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀମାନଙ୍କ ଜୀବନ ପ୍ରତି ଅନେକ ବିପଦ ସୃଷ୍ଟି ହେଉଅଛି। ଦୀର୍ଘ ୬ମାସ ପୂର୍ବରୁ ବିଦ୍ୟାଳୟ ତରଫରୁ ଉପଖଣ୍ଡିୟ ବିଦ୍ୟୁତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେହେଁ ବିଦ୍ୟୁତ ଅଧିକାରୀଙ୍କ ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଅଦ୍ୟାବଧି କୌଣସି ସମାଧାନ ହୋଇପାରିନାହିଁ। ଏପରିକି ମୁଖ୍ୟ ରାସ୍ତା ଗୁଡିକରେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ବିପଦପୂର୍ଣ୍ଣ ଭାବରେ ବିଦ୍ୟୁତ ପ୍ରବାହିତ ହେଉଥିବା ବେଳେ କୌଣସି ସ୍ଥାନରେ ନିରାପଦ ଜାଲି ଦିଆଯାଇନାହିଁ। ଯାହାଫଳରେ ସର୍ବସାଧାରଙ୍କ ଜୀବନ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ଗତି କରୁଅଛି। ବିଦ୍ୟୁତ ବିଭାଗ ତରଫରୁ ଯଥାଶୀଘ୍ର ସମସ୍ୟାର ସମାଧାନ କରା ନ ଯାଇ କାହାର କିଛି ଅସୁବିଧା ହେଲେ ବିଦ୍ୟୁତ ଅଧିକାରୀ ହିଁ ଦାୟୀ ରହିବେ ବୋଲି ପରିଚାଳନା କମିଟି ସଭାପତି ତଥା ସମାଜସେବୀ ଶ୍ରୀଯୁକ୍ତ ଲେଖରାଜ ଚେତାବନୀ ଦେଇଛନ୍ତି।

ବୀରମହାରାଜପୁର ଉପଖଣ୍ଡିୟ ବିଦ୍ୟୁତ ଅଧିକାରୀଙ୍କ ବିରୁଦ୍ଧରେ ସଙ୍ଗିନ୍ ଅଭିଯୋଗ ଆଣିଲେ ସଭାପତି ଲେଖରାଜ