କାଶୀ ବିଶ୍ଵନାଥ ଡିଗ୍ରୀ କଲେଜର ସଭାପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ‘ମନଇଚ୍ଛା ଅର୍ଥ ଆତ୍ମସାତ କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି’

ଅନୁଗୁଳ: କଲେଜ ସଭାପତିଙ୍କ ମନମୁଖୀ କାରବାରରେ କର୍ମଚାରୀ ଓ ଛାତ୍ରଛାତ୍ରୀ ଅତିଷ୍ଠ। ଏନେଇ କେହି ଖୋଲାଖୋଲି ମୁହଁ ଖୋଲୁନଥିଲେ ମଧ୍ୟ ସଭାପତି ସବୁକାମ ନିଜ ଇଚ୍ଛା ଅନୁସାରେ କରି କୋଟି କୋଟି ଟଙ୍କା ଚଳୁ କରିଥିବା ନେଇ ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ପାଇକସାହିରେ ଥିବା କାଶୀ ବିଶ୍ଵନାଥ ଡିଗ୍ରୀ କଲେଜର ସଭାପତି ନିରୋଜ କାନ୍ତ ସାହୁଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ସୂଚନା ଅନୁସାରେ, ଏହି କଲେଜ ୨୦୧୩ ମସିହାରେ […]

କାଶୀ ବିଶ୍ଵନାଥ ଡିଗ୍ରୀ କଲେଜର ସଭାପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ‘ମନଇଚ୍ଛା ଅର୍ଥ ଆତ୍ମସାତ କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି’
ଅନୁଗୁଳ: କଲେଜ ସଭାପତିଙ୍କ ମନମୁଖୀ କାରବାରରେ କର୍ମଚାରୀ ଓ ଛାତ୍ରଛାତ୍ରୀ ଅତିଷ୍ଠ। ଏନେଇ କେହି ଖୋଲାଖୋଲି ମୁହଁ ଖୋଲୁନଥିଲେ ମଧ୍ୟ ସଭାପତି ସବୁକାମ ନିଜ ଇଚ୍ଛା ଅନୁସାରେ କରି କୋଟି କୋଟି ଟଙ୍କା ଚଳୁ କରିଥିବା ନେଇ ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ପାଇକସାହିରେ ଥିବା କାଶୀ ବିଶ୍ଵନାଥ ଡିଗ୍ରୀ କଲେଜର ସଭାପତି ନିରୋଜ କାନ୍ତ ସାହୁଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ସୂଚନା ଅନୁସାରେ, ଏହି କଲେଜ ୨୦୧୩ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ କଲେଜ ପରିଚାଳନା କମିଟି ସଭାପତି ଭାବେ ମାଗୁଣି ଚରଣ ନାୟକଙ୍କୁ ମନୋନୀତ କରାଯାଇଥିଲା। କିଛି ବର୍ଷ ପରେ ମାଗୁଣି ଚରଣ ନାୟକଙ୍କୁ ସଭାପତି ପଦରୁ ବାହାର କରି ନିଜେ ନିରୋଜ କାନ୍ତ ସାହୁ ଏହି ପଦ ହାତେଇଥିଲେ। ଆଉ ତା’ ପରେ କଲେଜର ଅଧ୍ୟକ୍ଷ ତୋଫାନ ମହାନନ୍ଦିଆଙ୍କୁ ହାତ କରି କଲେଜ ଗୃହ ନିର୍ମାଣ ନିମନ୍ତେ ନିଜେ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ନିମ୍ନମାନର ଘର ନିର୍ମାଣ କଲେ। ପରେ କଲେଜକୁ ୪ ଏକର ଜମି ଦାନ କରି ନିଜ ସ୍ତ୍ରୀଙ୍କୁ ଲାଇବେରିଆନ ପୋଷ୍ଟରେ ନିଯୁକ୍ତି ଦେଲେ। ତାଙ୍କ ସ୍ତ୍ରୀ ଡିଉଟି ନକରି ମାସକୁ ମାସ ଦରମା ନେଲେ। ତା’ ପରେ କଲେଜ ନାମରେ ଡୋନେସନ ଦେଇଥିବା ଜମିକୁ କବଲା କଲେ। କିଛି ଦିନ ପରେ କବଲା ଜମିକୁ ପଟ୍ଟା କରିବାକୁ କଲେଜ ଅଧ୍ୟକ୍ଷ ମହାନନ୍ଦିଆକୁ ୮୦ ଲକ୍ଷ ଟଙ୍କା ମାଗିଲେ। କଲେଜର ଆକାଉଣ୍ଟରୁ ନିଜ ଆକାଉଣ୍ଟ ଓ ମା’ ଚାରୁଲତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାଞ୍ଜେକ୍ସନ କରି କଲେଜ କର୍ମଚାରୀଙ୍କୁ ଦେବା ବ୍ୟବସ୍ଥା କଲେ। ଯିଏ ଯେତିକି ଦରମା ପାଇବା କଥା ତାଙ୍କୁ କମ୍ ଟଙ୍କା ଦେଇ ବାକି ଟଙ୍କାକୁ ଆତ୍ମସାତ କରିଛନ୍ତି ବୋଲି ସଭାପତିଙ୍କ ନାଁରେ ଅଭିଯୋଗ ଆସିଛି। ସଭାପତି ନିଜେ କଲେଜରେ ଆଦର୍ଶ ଶୌଚାଳୟ ନିର୍ମାଣ ନିମନ୍ତେ ୮୦ ହଜାର ଟଙ୍କା ଅଧ୍ୟକ୍ଷଙ୍କୁ ମାଗିଥିଲେ। କିନ୍ତୁ କଲେଜ ଅଧ୍ୟକ୍ଷ ଏହାକୁ ବାରଣ କରିଥିଲେ। କମିଟି ପକ୍ଷରୁ ଯାହା ନିଷ୍ପତ୍ତି ହେବ ତାକୁ ଅନୁମୋଦନ କରାଯିବ ବୋଲି ଅଧ୍ୟକ୍ଷ କହିଥିଲେ। କିନ୍ତୁ ସଭାପତି ଅଭିଭାବକ ବୈଠକ ଡାକିବାକୁ ମନା କଲେ। ନିଜେ ସଭାପତି, ସମ୍ପାଦକ ଓ ପିଅନ ସାଜି କଲେଜର କାଗଜ ପତ୍ର କାମ କଲେ ବୋଲି ଅଭିଯୋଗ ହୋଇଛି। ଏତିକିରେ ସରିନି ସଭାପତି ନିରୋଜ କାନ୍ତ ସାହୁଙ୍କ କାରନାମା। ସେ ନିଜ ଦଳୀୟ ସମର୍ଥକଙ୍କୁ ଧରି କଲେଜ ଅଫିସ ଭିତରେ ରାଜନୀତି ମଧ୍ୟ ଆରମ୍ଭ କରିଥିଲେ। ଏହାକୁ ପ୍ରିନ୍ସିପାଲ ତୋଫାନ ମହାନନ୍ଦିଆ ବାରଣ କରିବାରୁ ରାଗରେ ସଭାପତି ନିଜେ ସମ୍ପାଦକ ଓ କମିଟି ମେମ୍ବର ସାଜି ଚିଠି ନଂ ୨୦/୨୦୨୪ ତା ୨୩/୦୮/୨୪ ରିଖ ରେ ଏକ ନୋଟିସ ଜାରି କରି ଶ୍ରୀ ମହାନନ୍ଦିଆଙ୍କୁ ଛଟେଇ କରିଛନ୍ତି। ତେବେ ଏସବୁ ଅଭିଯୋଗ ନେଇ ସଭାପତି ନିରୋଜକାନ୍ତ ସାହୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଯାହା କରିଛୁ ଠିକ୍ କରିଛୁ ଓ ସାମ୍ବିଧାନିକ ଆଇନ ଭିତରେ ହିଁ କାର୍ଯ୍ୟକାରୀ କରାଯାଇଛି ବୋଲି କହିଛନ୍ତି। ସେପଟେ ପ୍ରିନ୍ସପାଲ ଶ୍ରୀ ମହାନନ୍ଦିଆ ଦୁଇ ଦୁଇ ଥର ସାମ୍ବାଦିକ ସମ୍ମିଳନୀ କରି ସଭାପତିଙ୍କ ବିରୋଧରେ ବିଷ ଓଗାଳୁଛନ୍ତି। ଅନ୍ୟପଟେ ଏବେ ଏମିତି କଣ ହେଲା ଯେ କଲେଜ ଅବସ୍ଥାପିତ ହେବା ଦିନଠାରୁ ପ୍ରିନ୍ସପାଲ ତୋଫାନ ମହାନନ୍ଦିଆ ଓ ସଭାପତି ନିରୋଜ କାନ୍ତ ସାହୁଙ୍କ ମଧ୍ୟରେ ଥିବା କ୍ଷୀର ନୀର ସମ୍ପର୍କ ଏବେ ଛିଡିଗଲା ବୋଲି ପ୍ରଶ୍ନ ଉଠିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।