ଅନୁଗୁଳ: ଅନୁଗୁଳ ଜନସ୍ବାସ୍ଥ୍ୟ ବିଭାଗର ଅବହେଳାରୁ ଆଜି ଜଣେ ୧୪ ବର୍ଷ ବୟସର ବାଳକର ମର୍ମନ୍ତୁଦ ମୃତ୍ୟୁ ଘଟିଛି। ସ୍ଥାନୀୟ ହାକିମ ପଡ଼ାରେ ଜନ ସ୍ଵାସ୍ଥ୍ୟ ବିଭାଗର ଓଭର ହେଡ ଟାଙ୍କି ଓ ପମ୍ପ ହାଉସ ରହିଛି। ଏହି ପରିସର ଚାରିପଟେ ପାଚେରୀ ସହ ଦୁଇଟି ଗେଟ୍ ମଧ୍ୟ ରହିଛି। ହେଲେ ଗେଟ୍ ଗୁଡ଼ିକ ଖୋଲା ମେଲା ରହୁଥିବାରୁ ତାହା ଭିତରେ ବେଳେ ବେଳେ ସ୍ଥାନୀୟ ପିଲା ମାନେ କ୍ରିକେଟ ଖେଳନ୍ତି।
ଆଜି ଦିନପ୍ରାୟ ୧୧ ଟା ବେଳକୁ ତିନି-ଚାରି ଜଣ ପିଲା କ୍ରିକେଟ ଖେଳୁ ଥିବା ବେଳେ ହଠାତ୍ ବଲଟି ପମ୍ପ ହାଉସ ପରିସରରେ ଥିବା ଖୋଲା କୁଅ ଭିତରେ ପଡିଯାଇଥିଲା।ଏହାର ଚାନ୍ଦିନୀ ଦୀର୍ଘ ଦିନ ହେବ ଭାଙ୍ଗି ଯାଇଥିଲା ଏବଂ ଏକ ପରିତ୍ୟକ୍ତ କୁଅ ଭାବେ ଏହା ରହିଥିଲା।
ସ୍ଥାନୀୟ ସୁକାନ୍ତ ମହାପାତ୍ରଙ୍କ ପୁଅ ଭବାନୀ ପ୍ରସାଦ ମହାପାତ୍ର ବଲ ଆଣିବାକୁ ଯାଇ କୁଅ ଭିତରକୁ ଖସିଁପଡ଼ିଥିଲେ। ସାଙ୍ଗ ମାନେ ପ୍ରଥମେ ତାକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ପରିବାର ଓ ସ୍ଥାନୀୟ ଲୋକେ ଜମା ହୋଇଯାଇଥିଲେ।ଖବର ପାଇ ଅଗ୍ନିଶମ ବିଭାଗ ର କର୍ମଚାରୀ ମାସ୍କ ଏବଂ ଅକ୍ସିଜେନ୍ ସିଲିଣ୍ଡର ଧରି ଭିତରେ ପଶି ଗୁରୁତର ଭବାନୀ କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏ ଘଟଣାପରେ ଜନ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଗେଟ୍ ରେ ତରବର ହୋଇ ତାଲା ପକାଇ ପଳାଇଥିଲେ।
ଭବାନୀ ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଜନ ସ୍ଵାସ୍ଥ୍ୟ ବିଭାଗର ଚରମ ଅବହେଳା କାରଣରୁ ନାବାଳକର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହେବା ସହ ଦୋଷୀ ବିରୁଦ୍ଧରେ ମାମଲା ରୁ୍ଜୁ କରିବାକୁ ସାଧାରଣରେ ଦାବି ହେଉଛି।
ପମ୍ପ ହାଉସ ପରିସରରେ କାହିଁକି ଆଜି ଯାଏ ପରିତ୍ୟକ୍ତ କୁଅ ପୋତା ନଯାଇ ରଖାଯାଇଥିଲା ଏବଂ ପାଣି ଉଠାଯିବା ପରେ କାହିଁକି ଗେଟ୍ ରେ ତାଲା ପଡୁ ନଥିଲା ଏହାର ତଦନ୍ତ ଜିଲ୍ଲାପାଳ କରିବାକୁ ଦାବି ହେଉଛି ।