*ବିଭିନ୍ନ ଦାବି ନେଇ ଅଖିଳ ଭାରତୀୟ କୃଷକ ମୋର୍ଚ୍ଚା ତରଫରୁ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ପାନପୋଷ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର*

ରାଉରକେଲା: ଅଖିଳ ଭାରତୀୟ କୃଷକ ମୋର୍ଚ୍ଚା ତରଫରୁ ବିଭିନ୍ନ ଦାବି ନେଇ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରରେ ଉଲ୍ଲିଖିତ ଥିବା ଦାବିଗୁଡିକ ମଧ୍ୟରେ ରହିଛି, ୨୦୨୪ ମସିହା ସଂଗ୍ରହ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୫୦୦ ଟଙ୍କାକୁ ବୃଦ୍ଧି। ସମସ୍ତ ଫସଲର ସହାୟକ ମୂଲ୍ୟ (C2 + 50%) ଆଇନଗତ ଗ୍ଯାରେଣ୍ଟି ସହିତ ସରକାରୀ ଭାବେ ସମସ୍ତ ଫସଲ ସଂଗ୍ରହକୁ ସୁନିଶ୍ଚିତ କରିବା। ସମସ୍ତ କୃଷି ଋଣ ଛାଡ କରିବା। ଦଖଲ ଚାଷ ଜମି ସହ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬କୁ କଡାକଡି ପାଳନ କରି ସମସ୍ତ କୃଷକ ପରିବାର ସମେତ ଆଦିବାସୀ, ଦଳିତଙ୍କୁ ବାସଗୃହ ଓ ଚାଷ ଉପଯୋଗୀ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ କରିବା। ସମସ୍ତ ଧାନ ମଣ୍ଡିରେ ହେଉଥିବା କଟନୀ ଛଟନୀକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା। କୃଷିଜାତ ଦ୍ରବ୍ୟ, କୃଷି ଯନ୍ତ୍ରପାତି ଓ କୃଷି ଉତ୍ପାଦନ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ଯାହର କରିବା ଏବଂ ଚାଷୀଙ୍କୁ ସମସ୍ତ ରିହାତି ପ୍ରଦାନ କରିବା। ବିଦ୍ଯୁତ ସଂଶୋଧନ ବିଲ୍ ୨୦୨୦କୁ ବାତିଲ କରିବା ଓ ଆଗୁଆ ବିଲ୍ ପୈଠ କରିବା ଉଦ୍ଦେଶ୍ୟରେ ସ୍ମାର୍ଟ ମିଟର ଲଗାଇବା ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରିବା। ବିଜେପିର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ସମସ୍ତ ବିଦ୍ଯୁତ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ବିଦ୍ଯୁତ ଶୁଳ୍କ ଛାଡ କରିବା। କୃଷି କ୍ଷେତ୍ରରେ ବ୍ଯବହୃତ ବିଦ୍ଯୁତ ବିଲ୍ ଛାଡ କରିବା। ୬୦ ବର୍ଷରେ ପଦାର୍ପଣ କରୁଥିବା ସମସ୍ତ କୃଷକଙ୍କୁ ୧୦ହଜାର ଟଙ୍କା ପେନସନ୍, ବାର୍ଦ୍ଧକ୍ଯ ଭତ୍ତା, ବିଧବା ଭତ୍ତା ଏବଂ ବିକଳାଙ୍ଗ ଭତ୍ତାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବା। ସମସ୍ତ ବ୍ଲକ କାର୍ଯ୍ଯାଳୟରେ ସ୍ବତନ୍ତ୍ର ପ୍ରକୋଷ୍ଠ ଖୋଲିବା ଏବଂ କୃଷକଙ୍କ ପାଇଁ ସ୍ବତନ୍ତ୍ର ଶୁଣାଣି ବ୍ଯବସ୍ଥା କରିବା। ସମସ୍ତ ଚାଷ ଉପଯୋଗୀ ଜମିକୁ ଜଳସେଚନ ସୁବିଧା କରିବା। ବର୍ଷାଜଳର ସଂରକ୍ଷଣ ପାଇଁ ସମସ୍ତ ଗ୍ରାମପଞ୍ଚାୟତଗୁଡିକରେ ଥିବା ସମସ୍ତ ବନ୍ଧ, ପୋଖରୀ, ଜଳାଶୟରୁ ପଙ୍କ ଉଦ୍ଧାର କରିବା। ପ୍ରତ୍ଯେକ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବା ଏବଂ ଜିଲ୍ଲାରେ କୃଷି ଭିତ୍ତିକ ଶିଳ୍ପ ନିର୍ମାଣ କରି ବେକାରୀ ସମସ୍ୟା ନିରାକରଣ ଦିଗରେ ପଦକ୍ଷେପ ନେବା। ପିତାମହଲ ଡ୍ଯାମର ପୁନଃଉଦ୍ଧାର କରିବା ସହିତ ଏହି ଡ୍ଯାମର ସୁରକ୍ଷା ପାଇଁ ଚତୁଃପାର୍ଶ୍ଵରେ ଥିବା କ୍ରସର ଓ ଖାଦାନଗୁଡିକୁ ଅବିଳମ୍ବେ ବନ୍ଦ କରିବା। ଶିଳ୍ପ ପ୍ରତିଷ୍ଠାନ ପାଇଁ ଅଧିଗ୍ରହଣ କରାଯାଇଥିବା ଜଳସେଚିତ ଚାଷ ଜମିକୁ ଏହାର ପୂର୍ବତନ ମାଲିକମାନଙ୍କୁ ଫେରାଇଦେବା। ରାସନ କାର୍ଡରେ ପରିବାରର ନୂତନ ସଦସ୍ୟଙ୍କ ନାମ ସଂଯୋଗୀକରଣ କରିବା। ଏହି ଦାବିପତ୍ର ପ୍ରଦାନ ସମୟରେ କୃଷକ ସଭାର ରାଜ୍ୟ ସାଧାରଣ ସମ୍ପାଦକ କ୍ଷୀରୋଦ ସିଂହଦେଓ, ବିସ୍ଥାପିତ ନେତା ରାଜେନ୍ଦ୍ର ନାଏକ, ଶ୍ରମିକ ନେତା ପ୍ରଦ୍ଯୁଷ ମହାନ୍ତି, ଚାଷୀ ନେତା ଦଶରୁ କିଶାନ, ବରିଷ୍ଠ ଆଇନଜୀବୀ ସଦାନନ୍ଦ ସାହୁ, ସୁରେନ୍ଦ୍ର ବାହାଲ, ଜନ୍ ଆୟୁବ ଜୋଜୋ, ଗୋବିନ୍ଦ କୁଜୁର, ଜିଜଲା ଲାକ୍ରା, ବିରେନ୍ଦ୍ର କିଶାନ ଅନୁପମ ଦତ୍ତ, ଜମୁନା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।

*ବିଭିନ୍ନ ଦାବି ନେଇ ଅଖିଳ ଭାରତୀୟ କୃଷକ ମୋର୍ଚ୍ଚା ତରଫରୁ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ପାନପୋଷ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର*