ଅନୁଗୁଳରେ ପୁଣି ହାତୀଙ୍କ ଉତ୍ପାତ ଆରମ୍ଭ: ଧାନ ଫସଲ ଖାଇବା ସହ କରୁଛନ୍ତି ନଷ୍ଟଭ୍ରଷ୍ଟ, ସହାୟତା ମିଳୁନଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ସଦର ଓ ତାଳଚେର ବନାଞ୍ଚଳ ସୀମାନ୍ତ ଗାଁ ଗୁଡିକରେ ପୁଣି ଥରେ ଆରମ୍ଭ ହୋଇଛି ହାତୀ ଉପଦ୍ରବ। ଗୋଟିଏ କି ଦୁଇଟି ନୁହେଁ, ୨୫ରୁ ଅଧିକ ହାତୀ ଧାନ ବିଲରେ ପଶି ଖାଇବା ସହ ନଷ୍ଟ କରୁଛନ୍ତି। ଫସଲକୁ ଜଙ୍ଗଲୀ ଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଇଁ ବନ ବିଭାଗ ସଠିକ ପଦକ୍ଷେପ ନେଇ ପାରୁନଥିବା ବେଳେ କ୍ଷତିପୂରଣ ରାଶି ପ୍ରଦାନରେ ମଧ୍ୟ ଅହେତୁକ ବିଳମ୍ବ ହେଉଛି ବୋଲି ଚାଷୀମାନେ ଅଭିଯୋଗ […]

ଅନୁଗୁଳରେ ପୁଣି ହାତୀଙ୍କ ଉତ୍ପାତ ଆରମ୍ଭ: ଧାନ ଫସଲ ଖାଇବା ସହ କରୁଛନ୍ତି ନଷ୍ଟଭ୍ରଷ୍ଟ, ସହାୟତା ମିଳୁନଥିବା ଅଭିଯୋଗ
ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ସଦର ଓ ତାଳଚେର ବନାଞ୍ଚଳ ସୀମାନ୍ତ ଗାଁ ଗୁଡିକରେ ପୁଣି ଥରେ ଆରମ୍ଭ ହୋଇଛି ହାତୀ ଉପଦ୍ରବ। ଗୋଟିଏ କି ଦୁଇଟି ନୁହେଁ, ୨୫ରୁ ଅଧିକ ହାତୀ ଧାନ ବିଲରେ ପଶି ଖାଇବା ସହ ନଷ୍ଟ କରୁଛନ୍ତି। ଫସଲକୁ ଜଙ୍ଗଲୀ ଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଇଁ ବନ ବିଭାଗ ସଠିକ ପଦକ୍ଷେପ ନେଇ ପାରୁନଥିବା ବେଳେ କ୍ଷତିପୂରଣ ରାଶି ପ୍ରଦାନରେ ମଧ୍ୟ ଅହେତୁକ ବିଳମ୍ବ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ବେନ୍ତପୁର ଓ ଆଖପାଖ ବାରସିଂହା, ସମାକୋଇ, ଅଙ୍ଗାରବନ୍ଧ, ବାଦୀବାହାଳ ଅଞ୍ଚଳରେ ଅଧିକ ଧାନ ଚାଷ ହୋଇଥାଏ। ଡେରଜାଙ୍ଗ କେନାଲ ଥିବାରୁ ସହଜରେ ଜମିକୁ ପାଣି ଆସେ। ଏହି କାରଣରୁ ଲୋକେ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ହେଲେ ଗତ କିଛି ବର୍ଷ ହେବ ଧାନ ତଳି ସମୟରୁ ଆରମ୍ଭ କରି ପରିପକ୍ୱ ସମୟରେ ହାତୀ ମାନେ ଜମିରେ ପଶି ମନଇଚ୍ଛା ଖାଇବା ସହ ଦଳି ମକଚି ଫସଲ ନଷ୍ଟ କରିପକାଉଛନ୍ତି। ଫଳରେ ଚାଷବହୁଳ ଅଞ୍ଚଳରୁ ଏବେ ଚାଷ କମିବାରେ ଲାଗିଲାଣି। ଏନେଇ ବନ ବିଭାଗକୁ ଅଭିଯୋଗ କଲେ ମଧ୍ୟ କର୍ମଚାରୀମାନେ ବିଫଳ ହେଉଛନ୍ତି ଓ ସହାୟତା ବି ଯୋଗାଉନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଅନୁଗୁଳ ବ୍ଲକ ଅନ୍ତର୍ଗତ ବେନ୍ତପୁର ଗାଁ ଓ ଏହାର ଆଖପାଖ ଗାଁରେ ବିବେକାନନ୍ଦ ରଥ, ବାପି ତ୍ରିପାଠୀ, ମହାର୍ଘା ଭୁତିଆ, ଆଶୁତୋଷ ତ୍ରିପାଠୀ, ସମୀ କୁମାର ରଥ, କାର୍ତ୍ତିକ ଭୂତିଆ, ଶରତ ତ୍ରିପାଠୀ ପ୍ରମୁଖ ଅନେକ ଚାଷୀଙ୍କ ଏକର ଏକର ଚାଷଜମିରେ ହାତୀ ପଶି ନାହିଁ ନଥିବା କ୍ଷତି କରୁଥିବା ଅଭିଯୋଗ ଆଣିଛନ୍ତି। ଗତ ବର୍ଷ ହାତୀ ଆସି ଫସଲ ନଷ୍ଟ କରିଥିଲା ହେଲେ ଏପର୍ଯ୍ୟନ୍ତ ତାର କୌଣସି ସହାୟତା ପାଇପାରିଲୁ ନାହିଁ। ସହାୟତା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଉ ଆବେଦନ କରିବା ପାଇଁ ମନ ନାହିଁ ବୋଲି ଚାଷୀ କହିଛନ୍ତି। ଅନ୍ୟପଟେ ବନ ବିଭାଗ ହାତରେ ଆବଶ୍ୟକୀୟ କର୍ମଚାରୀ ନ ଥିବାରୁ ଏପରି ପରିସ୍ଥିତି ହେଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।